ବନ୍ୟାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭୟଙ୍କର ହେଉଛି ଯମୁନା । ଯମୁନା ନଦୀର ବନ୍ୟାପାଣିରେ ଯେମିତି ସାରା ଦିଲ୍ଲୀ ଭାସୁଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପାଣି । ଲାଲକିଲ୍ଲା, ରାଜଘାଟରେ ବି ପାଣି । ଦିଲ୍ଲୀ ବିଧାନସଭା ନିକଟରୁ ମାତ୍ର ୩୫୦ ମିଟର ଦୂରରେ ନଦୀ ଜଳ ପହଞ୍ଚି ସାରିଛି । ଏପରିକି ସୁପ୍ରିମକୋର୍ଟ ନିକଟରେ ମଧ୍ୟ ପହଞ୍ଚିବାକୁ ଗଲାଣି ପାଣି । ରାସ୍ତାଘାଟ ସବୁଆଡେ ପାଣିର ସୁଅ । ଏପରି ସ୍ଥିତିକୁ ଦେଖି ଜାତୀୟ ରାଜଧାନୀରେ ସମସ୍ତ ସ୍କୁଲ ଓ କଲେଜକୁ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି  । ଏମର୍ଜେନ୍ସି ସେବା ବ୍ୟତୀତ ସମସ୍ତ ସରକାରୀ ଅଫିସ ବନ୍ଦ ରହିଛି । ଘରୋଇ ଅଫିସ ଗୁଡିକ ୱାର୍କ ଫ୍ରମ ହୋମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଇତିମଧ୍ୟରେ ଯମୁନା ନଦୀର ଜଳସ୍ତର ୧୭ ସେଣ୍ଟିମିଟର ଖସିଥିଲେ ହେଁ  ବିପଦସଙ୍କେତଠାରୁ ୩ ମିଟର ଉପରେ ବହୁଛି ।   ଦିଲ୍ଲୀର ଅଧିକାଂଶ ଇଲାକା ଜଳମଗ୍ନ । ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଫୋନ ଯୋଗ ବନ୍ୟା ସମ୍ପର୍କିତ ଖବର ଗୃହ ମନ୍ତ୍ରୀ ଅମିତ ଶାହଙ୍କଠାରୁ ଫୋନରେ ପଚାରି ବୁଝୁଛନ୍ତି । ପାଣି ଲାଲ କିଲ୍ଲା ଏବଂ ରିଂ ରୋଡ ପର୍ଯ୍ୟନ୍ତ ପହଞ୍ଚିଗଲାଣି  । ଏପରି ସ୍ଥିତିରେ ଆଜି ପର୍ଯ୍ୟଟକଙ୍କ  ପାଇଁ ଲାଲ କିଲ୍ଲା ବନ୍ଦ ରହିଛି । ସ୍ଥିତି ମୁକାବିଲା ପାଇଁ ୧୨ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ଶ୍ମଶାନ ବନ୍ଦ ହୋଇଯାଇଛି । ବିଭିନ୍ନ ମେଡିକାଲରେ ପାଣି ପଶିଯିବାରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ନଏଡାର ସେକ୍ଟର ୧୬୮ ଜଳମଗ୍ନ ହୋଇ ଯାଇଛି । ପାଣି ଘରରେ ଶହଶହ ଲୋକ ରହିଛନ୍ତି । ଦିଲ୍ଲୀର ତିନି ସୀମାରେ ପାଣି ଯୋଗୁ ଯାନବାହନ ଚଳଚଳ ବ୍ୟାହତ ହୋଇଛି । ଫଳରେ ବସ, ଟ୍ରକ ଚଳାଚଳ ବନ୍ଦ ରହିଛି । ହଥିନୀକୁଣ୍ଡ ବ୍ୟାରେଜରୁ ୫୦ ହଜାର କ୍ୟୁସେକ ପାଣି ଛଡାଯାଇଛି । ଯମୁନା ଖାଦର ଇଲାକାରେ ଥିବା ଏକ ଟାପୁରେ ୧୫୦ ଲୋକ ଫସି ରହିଥିଲେ । ସେମାନଙ୍କୁ ଏନଡିଆରଏଫ ଟିମ ଉଦ୍ଧାର କରିଛି । ଉତ୍ତର ଦିଲ୍ଲୀରେ ଏକ ସରକାରୀ ପରିଚାଳିତ ଟ୍ରମା ସେଣ୍ଟରରେ ପାଣି ପଶିଯିବାରୁ ୪୦ ରୋଗୀଙ୍କୁ ଏଠାରୁ ଏଲଏନଜେପି ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.