ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁ ସୁକ ୟୋଲ ୟୁକ୍ରେନ ପାଇଁ ଖୋଲିଦେଲେ ଭଣ୍ଡାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁ ସୁକ ୟୋଲ ଶନିବାର ଅଚାନକ ୟୁକ୍ରେନ ଗସ୍ତ କରିଥିଲେ । ରୁଷ ଆକ୍ରମଣର ଶିକାର ହୋଇଥିବା ଦେଶକୁ ନିଜର ସୟାହତାର ହାତ ବଢାଇବେ ବୋଲି ସେଠାରେ ଘୋଷଣା କରିଥିଲେ । ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରେ ଏହା ୟୋଲଙ୍କର ପ୍ରଥମ କିଭ ଗସ୍ତ । ଗସ୍ତ ଅବସରରେ ୟୋଲ କହିଛନ୍ତି, ସେ ତାଙ୍କ ପତ୍ନୀ କିମ କିୟୋନଙ୍କ ସହ ୟୁକ୍ରେନ ଗସ୍ତରେ ଆସିଛନ୍ତି   । ଏହା ପୂର୍ବରୁ ସେ ନାଟୋ ଶିଖର ସମ୍ମିଳନୀର ଯୋଗ ଦେବା ପାଇଁ ଲିଥୁଆନିଆ ଏବଂ ପୋଲାଣ୍ଡ ଯାତ୍ରା କରିଥିଲେ । ୟୋଲ କିଭ ନକଟବର୍ତ୍ତୀ ଛୋଟ ସହର ବୁଚା ଏବଂ ଇରପିନ ଆଦି ସହର ଗସ୍ତ କରିଥିଲେ । ଏହି ସହରରୁ ରୁଷସେନାକୁ ୟୁକ୍ରେନ ସେନା ବାହାର କରିଥିଲେ । ଏହି ଘଟଣା ପରେ ଏଠାରେ ରାସ୍ତା ଉପରେ ସାଧାରଣ ନାଗରିକଙ୍କ ଶବ ପଡିଥିବା ଦେଖିବାକୁ ମିଳିଥିଲା । ୟୋଲ ଜେଲେନସ୍କିଙ୍କ ସହ ବୈଠକ ପୂର୍ବରୁ ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଦକ୍ଷିଣ କୋରିଆ ଆମେରିକାର ଜଣେ ବଡ ସମର୍ଥକ ଅଟେ । ରୁଷକୁ ବିରୋଧ କରିବା ସହ ଆମେରିକା ଲଗାଇଥିବା ପ୍ରତିବନ୍ଧକକୁ ସମର୍ଥନ କରିଛି । ଦକ୍ଷିଣ କୋରିଆ ୟୁକ୍ରେନକୁ ଆର୍ଥିକ ଏବଂ ମାନବୀୟ ସହାୟତା ଯୋଗାଇ ଦେଇଛି । ହେଲେ ଯୁଦ୍ଧରତ ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଣ ନ କରିବା ନୀତି ଅନୁସାରେ ଦକ୍ଷିଣ କୋରିଆ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ନାହିଁ । ଆଲୋଚନା ପରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୟୋଲ ୟୁକ୍ରେନକୁ କି କି ସହାୟତା ଯୋଗାଇ ଦେବେ ତାହାର ବିସ୍ତୃତ ସୂଚନା ଦେଇଥିଲେ । ହେଲେ ହତିଆର ଯୋଗାଣ ସମ୍ପର୍କରେ କିଛି ସୂଚନା ଦେଇ ନ ଥିଲେ । ୟୋଲୋ କହିଛନ୍ତି, ଦକ୍ଷିଣ କୋରିଆ ୟୁକ୍ରେନକୁ ଦେଉଥିବା ବୁଲେଟ ପ୍ରୁଫ ଏବଂ ହେଲମେଟ ପରି ସୈନ୍ୟ ଉପକରଣ ପାଇଁ ସହାୟତା ରାଶି ଚଳିତବର୍ଷ ବୃଦ୍ଧି କରିଛି । ଚଳିତବର୍ଷ ୧୫ କୋଟି ଆମେରିକୀ ଡଲାରର ମାନବୀୟ ସହାୟତା ପ୍ରଦାନ କରିବ ବୋଲି ମଧ୍ୟ ୟୋଲୋ ଘୋଷଣା କରିଥିଲେ । ଏହାବ୍ୟତୀତ ଯୁଦ୍ଧ ପରେ ୟୁକ୍ରେନର ପୁନଃନିର୍ମାଣ ପାଇଁ ଜେଲେନସ୍କିଙ୍କୁ ସହାୟତା ଯୋଗାଇଦେବେ । ଦକ୍ଷିଣ କୋରିଆରେ ପଢୁଥିବା ୟୁକ୍ରେନ ଛାତ୍ରଙ୍କୁ ସହାୟତା କରିବା ପାଇଁ ଜଲେନସ୍କିଙ୍କ ନାମରେ ଏକ ଛାତ୍ରବୃ୍‌ତ୍ତିର ଆରମ୍ଭ କରିବେ ବୋଲି ୟୋଲୋ ଘୋଷଣା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.