• ୭୬ତମ କନହେଇଲାଲ୍ ସ୍ମୃତି ସମାରୋହ ଅନୁଷ୍ଠିତ
• ରାଜେନ୍ଦ୍ର ରାଉଳ ପାଇଲେ କନହେଇ କଥା ପୁରସ୍କାର -୨୦୨୩
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଗୋଟିଏ ନଥିବା ପୃଥିବୀର ମଣିଷ ଥିଲେ କନହେଇଲାଲ୍ ଦାସ। କନହେଇଲାଲ୍ ଦାସ ଏପରି ପ୍ରେମକୁ ଭଲ ପାଉନଥିଲେ ଯେଉଁ ପ୍ରେମ ନାହିଁ! ନଈ ନକସା ଦେଇ ବୋହି ଯାଏନା, ବରଂ ନଈ ବୋହିଗଲା ପରେ ନକସା ହେଇପାରେ। କନହେଇଲାଲ୍ ଦାସ ନଦୀ ଥିଲେ ସେ ନକସା ନଥିଲେ। ସଭିଙ୍କ ଭିତରେ ଜଣେ ଜଣେ କନହେଇ ବଞ୍ଚିଛି। ତାଙ୍କ ଭିତରେ ସ୍ଵାଧୀନତାକୁ ଉପଭୋଗ କରିବାର ସାହସ ଥିଲା। ଆମ ସମସ୍ତଙ୍କ ଭିତରେ ଜଣେ ଜଣେ କନହେଇ ଥାଏ। କିନ୍ତୁ ଆମେ କେତେଜଣ ତାଙ୍କୁ ଭୋଗୁ? ଗୋଟିଏ ଲେଖକକୁ ଭୋଗ କରିବା ବଡକଥା। କନହେଇକୁ ନେଇକି ବଞ୍ଚବା ହିଁ କନହେଇ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ବୋଲି ୭୬ତମ ସ୍ମୃତି ସମାରୋହରେ ଯୋଗ ଦେଇ ଅତିଥି ମାନେ କହିଛନ୍ତି।
ଆଜି ସନ୍ଧ୍ୟାରେ ସ୍ଥାନୀୟ ଷ୍ଟେସନ କ୍ଲବ୍ ପ୍ରେକ୍ଷାଗୃହରେ କନହେଇଲାଲ୍ ଦାସଙ୍କ ସ୍ମୃତି ସମାରୋହ ପାଳିତ ହୋଇଯାଇଛି। ପ୍ରଥମେ ମୁଖ୍ୟ ଅତିଥି ପ୍ରକାଶ ମହାପାତ୍ର ବଂଶୀବାଦନ କରି ସଭା ଆରମ୍ଭ କରିବା ପରେ କନହେଇଲାଲ୍ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି ସ୍ମୃତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାପାତ୍ର କନହେଇଲାଲ୍ ଙ୍କୁ ଏକ ନଥିବା ପୃଥିବୀର ମଣିଷ ବୋଲି କହିଥିଲେ। ସଂସଦର ସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଉତ୍ସବକୁ ପ୍ରଦୀପ ପ୍ରଜ୍ଵଳନ ଓ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଉଦଘାଟନ କରିଥିଲେ ଅତିଥିଗଣ।

ପ୍ରାରମ୍ଭରେ ଅନ୍ୟତମ ଆବାହକ କବି ଶ୍ରୀଦେବ ଅତିଥିଙ୍କୁ ମଞ୍ଚ ଆହ୍ଵାନ କରିବି ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଉତ୍ପଳ ମହାନ୍ତି ସମ୍ପାଦକୀୟ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଚଳିତ ବର୍ଷ କନହେଇ କଥା ପୁରସ୍କାର ପ୍ରଦାନ କରାଯାଇଥିଲା ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳଙ୍କୁ। ମାନପତ୍ର ପାଠ କରିଥିଲେ ସଂସଦର କାର୍ଯ୍ୟକାରୀ ସଭାପତି କୃଷ୍ଣ କୁମାର ମହାନ୍ତି। ପୁରସ୍କାର ସ୍ଵରୂପ ଦଶ ହଜାର ଟଙ୍କା, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଶ୍ରୀ ରାଉଳ କନହେଇଙ୍କୁ କାଫକାଙ୍କ ତୁଳନା କରି ଯିଏ ଦାରିଦ୍ର୍ୟକୁ ଜିଣି ନାହିଁ ସେ ଜୀବନକୁ ବୁଝି ନାହିଁ ବୋଲି କହିଥିଲେ।
ଏଥିରେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ଡକ୍ଟର ମଣୀନ୍ଦ୍ର କୁମାର ମେହେର ଯୋଗ ଦେଇ ଯେଉଁ ଶିଳ୍ପୀ ଗର୍ଭଧାରଣର ଯନ୍ତ୍ରଣା ଭୋଗିନାହିଁ ସେ କେବେ ଲେଖକ ହୋଇପାରିବ ନାହିଁ। ଲେଖକକୁ ଗର୍ଭଧାରଣ କରିବାକୁ ପଡିବ ବୋଲି କହିଥିଲେ। ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ ସୁଖ୍ୟାତ କବି ଓ ଗାଳ୍ପିକ ସରୋଜ ବଳ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କନହେଇଙ୍କ ଭିତରେ ସ୍ଵାଧୀନତାକୁ ନେଇ ବଞ୍ଚିବାର ସାହସ ଥିଲା। କେତେ ଜଣ କନହେଇଙ୍କ ଜୀବନକୁ ଭୋଗ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।
ଅନ୍ୟତମ ଆବାହକ ଗୌତମବୁଦ୍ଧ ତାଙ୍କ ଭାଷଣରେ କନହେଇଙ୍କ ସ୍ମୃତିକୁ ଅଧିକ ବ୍ୟାପକ କରାଯିବା ଉପରେ ଗୁରୁତ୍ୱ ଦେଇଥିବା ବେଳେ କମର୍ଦାରୁ ଆସିଥିବା ସ୍ମୃତି ସଂସଦର କର୍ମକର୍ତ୍ତା ଆସନ୍ତା ବର୍ଷ କନହେଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ଯାଦବେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ରାଜେଶ ଗିରି, ଶୁଭେନ୍ଦୁ ଦାସ, ବ୍ୟୋମନାଥ ରଥ ପ୍ରଭୃତି କାର୍ଯ୍ୟକ୍ରମରେ ସହାୟତା କରିଥିଲେ।





