ମା ମଝିଘରିଆଣୀ ମନ୍ଦିର ରୂପାନ୍ତରଣ ପାଇଁ ଡିପିଆର ସର୍ଭେ ଆରମ୍ଭ

ପ୍ରଥମ ପର୍ଯ୍ୟାୟରେ ୬ ଏକର ୩୦ ଡିସିମିଲ୍ ଜାଗାର ପ୍ରାଥମିକ ସର୍ଭେ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ରୂପାନ୍ତରଣ ନିମନ୍ତେ ଆଜି ଠାରୁ ଡିପିଆର ସର୍ଭେ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମନ୍ଦିରର ୬ ଏକର ୩୦ ଡିସିମିଲି ଜାଗାରେ ସର୍ଭେ କରାଯିବ ବୋଲି ଜଣାପଡିଛି । ଭୁବନେଶ୍ୱର ସ୍ଥିତ ଅଙ୍କିତରାଜ କନସୁଲଟେନ୍ସିର ଏମଡି ଆର୍ଟିଟେକ୍ଟ ଇଂ.ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ୨ଜଣିଆ ଟିମ୍ ରାୟଗଡାରେ ପଂହଚିଛନ୍ତି । ଏଥିରେ ସର୍ଭେ ଆସିଷ୍ଟାଂଟ ଅଶୋକ ବେହେରା ଓ ସର୍ଭେରର ନବ ନାୟକ ଆଜି ଠାରୁ ଡିପିଆର ରିପୋର୍ଟ ପ୍ରସ୍ତୁତ ନିମନ୍ତେ ସର୍ଭେ କାମ ଆରମ୍ଭ କରିଛନ୍ତି । ଭିତିଭୂମି ରିପୋର୍ଟ ପ୍ରଦାନ ପାଇଁ ଟୋଟାଲ୍ ଷ୍ଟେସନ ସର୍ଭେ ଯନ୍ତ୍ରପାତି ଦ୍ୱାରା ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ।

ମନ୍ଦିରର ଭିତିଭୂମିକୁ ଅନୁଧ୍ୟାନ କରି ୨ ଜଣିଆ ଟିମ୍ ସର୍ଭେ ରିପୋର୍ଟ ନିଜ କନସୁଲଟେନ୍ସିକୁ ପଠାଯିବ ଏବଂ ଆଜି ମନ୍ଦିରର ରାସ୍ତାଘାଟ, ପାର୍କିଂ, ମନ୍ଦିର ବେଢା ଆଦି ଅଂଚଳରେ ସର୍ଭେ କରାଯାଇଥିବା ବେଳେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ମନ୍ଦିରର ୬ଏକର ୩୦ଡିସିମିଲି ଜାଗାର ସଂପୂର୍ଣ୍ଣ ସର୍ଭେ କରାଯିବ ବୋଲି ସର୍ଭେ ଆସିଷ୍ଟାଂଟ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ତେବେ ମନ୍ଦିରର ୬ ଏକର ୩୦ ଡିସିମିିଲି ଜାଗାରେ ଏକ ଭଲ ଡିପିଆର ରିପୋର୍ଟ ପ୍ରସ୍ତୁତ ହୋଇ ପାରୁ ନ ଥିବାରୁ ଆର୍ଟିଟେକ୍ଟଙ୍କ ପରାମର୍ଶ କ୍ରମେ ଜିଲ୍ଳା ପ୍ରଶାସନ ତରଫରୁ ମନ୍ଦିର ଆଖ ପାଖରେ ଥିବା ସରକାରୀ ଜମିକୁ ନେଇ ଏକ ମାଷ୍ଟରପ୍ଳାନ ଡିପିଆର ରିପୋର୍ଟ ପ୍ରସ୍ତୁତ କରାଯାଇ ପଠାଯିବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଆଜି ଏହି ସର୍ଭେ କାମ ଜାରି ରହିଥିବା ବେଳେ ମନ୍ଦିର ଟ୍ରଷ୍ଟର କନିଷ୍ଠ ଯନ୍ତ୍ରୀ ଏମ.ଭେଙ୍କେଟ ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ପ୍ରକାଶ ଥାଉ କି,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଗତ ଜୁନ୍ ୭ ତାରିଖରେ ରାୟଗଡା ଜିଲ୍ଳା ଗସ୍ତରେ ଆସିଥିବା ବେଳେ ମା ମଝିଘରିଆଣୀ ମନ୍ଦିର ପରିଦର୍ଶନ କରି ମନ୍ଦିର ଟ୍ରଷ୍ଟି ଏବଂ ଜିଲ୍ଳାପାଳଙ୍କ ସହ ମନ୍ଦିରର ବିକାଶକୁ ନେଇ ଆଲୋଚନା କରିଥିଲେ । ଏକ ମାସ ମଧ୍ୟରେ ଡିପିଆର ରିପୋର୍ଟ ପ୍ରସ୍ତୁତ କରି ପଠାଇବା ପାଇଁ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ମନ୍ଦିର ଥିବା ୬ଏକର ୩୦ଡିସିମିଲି ଜାଗା ପରିବର୍ତେ ଅଧିକା ଜମି ଆବଶ୍ୟକ ପଡୁଥିବାରୁ ଡିପିଆର ରିପୋର୍ଟ ପ୍ରସ୍ତୁତରେ ବିଳମ୍ବ ହେଉଥିଲା । ତେବେ ମନ୍ଦିର ଆଖାପାଖରେ ଥିବା ସରକାରୀ ଜମିକୁ ମିଶାଇ ଏକ ଭଲ ଡିପିଆର ରିପୋର୍ଟ ପ୍ରସ୍ତୁତ ନିମନ୍ତେ ଜିଲ୍ଳାପାଳ ସ୍ୱଧାଦେବ ସିଂ ପ୍ରଶାସନିକ ସ୍ତରରେ ନିଷ୍ପତି ନେବା ପରେ ଆଜି ଠାରୁ ଡିପିଆର ରିପୋର୍ଟ ପ୍ରସ୍ତୁତ ନିମନ୍ତେ ସର୍ଭେ ଆରମ୍ଭ ହୋଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.