ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସହରର ଲୁଲୁ ପଡିଆ ନିକଟର ଏକ ବୁଦାମୂଳରେ ଏକ ଶିଶୁକନ୍ୟା ପଡି ରହିଥିବା ଦେଖି ସ୍ଥାନୀୟ ଜଣେ ମହିଳା ତାକୁ ଉଦ୍ଧାର କରିଛନ୍ତି। ଶିଶୁ କନ୍ୟାକୁ ଜିଲ୍ଲା ଚିକିତ୍ସାଳୟର ଶିଶୁ ଓ ମାତୃ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁକନ୍ୟା ଚିକିତ୍ସାଳୟକୁ ପହଞ୍ଚିବା ପରେ ଶିଶୁ କନ୍ୟାକୁ ସ୍ବତନ୍ତ୍ର ସେବା ଓ ନିରୀକ୍ଷଣ ପ୍ରକୋଷ୍ଠରେ ରଖାଯାଇଛି। ଭର୍ତ୍ତି ହେବା ସମୟରେ ଶିଶୁ କନ୍ୟା ଦେହରେ ତାପମାତ୍ରା ଅଧିକ ଥିବା ବେଳେ ହୃଦକ୍ରିୟା ବେଶ ଧିମା ଗତିରେ ଚାଲୁଥିଲା। ଦୁର୍ବଳ ସ୍ବାସ୍ଥ୍ୟ ଯୋଗୁଁ ଶିଶୁ କନ୍ୟା ଆଖି ଖୋଲି ପାରୁ ନ ଥିଲା। ଶରୀରର ଉତ୍ତାପ ଦେଖି ତୁରନ୍ତ ଡାକ୍ତର ତାକୁ ନିରୀକ୍ଷଣ ପ୍ରକୋଷ୍ଠରେ ରଖି ଚିକିତ୍ସା ଆରମ୍ଭ କରି ଦେଇଥିଲେ। ପ୍ରାୟ ତିନି ଘଣ୍ଟାର ଚିକିତ୍ସା ପରେ ଶିଶୁ କନ୍ୟାର ସ୍ବାସ୍ଥ୍ୟ ସ୍ଥିର ଥିବା ଡାକ୍ତର ପ୍ରକାଶ କରିଛନ୍ତି। ତେବେ ଦୁର୍ବଳ ସ୍ବାସ୍ଥ୍ୟ ଓ ଅଧିକ ଚିକିତ୍ସା ପାଇଁ ଶିଶୁ କନ୍ୟାକୁ ବଲାଙ୍ଗୀର ଭୀମଭୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଡାକ୍ତର ଜଣାଇଥିଲେ। ଖବର ଜଣା ପଡିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚିକିତ୍ସାଳୟକୁ ପହଂଚି ଶିଶୁ କନ୍ୟାର ସ୍ବାସ୍ଥ୍ୟ ଓ ଚିକିତ୍ସା ସଂପର୍କରେ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ। ଶିଶୁ କନ୍ୟାଟି ପ୍ରାୟ ୨୮ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିବା ଡାକ୍ତର ଅନୁମାନ କରିଛନ୍ତି। ତେବେ ଶିଶୁ କନ୍ୟାଟିର ନାଭି ଦେଖିବା ପରେ ପ୍ରସୂତି ମା ତାକୁ ଘରେ ଜନ୍ମ ଦେଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ମହିଳା ଜଣକ ତାଙ୍କ ନାମ ଗୋପନ ରଖିଥିବା ବେଳେ ଶିଶୁ କନ୍ୟାକୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତରଙ୍କ ପାଖରୁ ଅନୁମତି ମାଗି ଚିକିତ୍ସାଳୟ ପରିତ୍ୟାଗ କରିଥିବା ସୂଚନା ମିଳିଛି। ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆବଶ୍ୟକ ଚିକିତ୍ସା ଓ ସେବା ଯୋଗାଇ ଦେବା ସହିତ ଶିଶୁର ଉତ୍ତମ ସ୍ବାସ୍ଥ୍ୟ ଲାଭ କରିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ବିଷୟ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।