ଉନ୍ମୋଚନ ହେଲା ଅସିତ ମହାନ୍ତିଙ୍କ ‘ଲକ୍ଷ୍ମୀପୁରାଣ କଥା’ ପୁସ୍ତକ

‘ସମ୍ବାଦ’ରେ ପ୍ରକାଶ ପାଉଥିଲା ଧାରାବାହିକ ଭାବେ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ଅସିତ ମହାନ୍ତିଙ୍କ ଦ୍ବାରା ଲିଖିତ ଏବଂ ‘ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ‘ଲକ୍ଷ୍ମୀପୁରାଣ କଥା’ ମଙ୍ଗଳବାର ସଂଧ୍ୟାରେ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ‘ଆମ ଓଡ଼ିଶା’ ଷ୍ଟଲ୍‌ରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ, ଏ ଯାଏଁ ମାର୍ଗଶିର ମାସର ଗୁରୁବାରରେ ଘରେ ଘରେ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ନାମରେ ଯାହା ଆମେ ପଢି ଆସିଛୁ, ତାହା ବଳରାମ ଦାସଙ୍କ ପ୍ରକୃତ ‘ଲକ୍ଷ୍ମୀପୁରାଣ’ ନୁହେଁ। ଶହ ଶହ ବର୍ଷ ଧରି ପୋଥିରୁ ପୋଥିକୁ ବାରମ୍ବାର ନକଲ ହୋଇ ତାହା ବଦଳି ଯାଇଛି। ସେଥିରୁ ବଳରାମ ଦାସ ଏବଂ ତାଙ୍କର ଭାଷା ଓ ବିଷୟ ହଜି ଯାଇଛନ୍ତି। ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ଓ ଚରିତ୍ର ବି ସେଥିରୁ ନିଖୋଜ ହୋଇ ଯାଇଛନ୍ତି। ଲେଖକ ଶ୍ରୀ ମହାନ୍ତି ବଜାରରେ ମିଳୁଥିବା ‘ଲକ୍ଷ୍ମୀପୁରାଣ’ରେ ଥିବା ତ୍ରୁଟିସବୁକୁ ସୁଧାରି ଅନେକ ସନ୍ଦେହ ଓ ଦ୍ବନ୍ଦ୍ବକୁ ଦୂର କରିଛନ୍ତି, ଯାହା ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ପ୍ରକୃତ ପରିଚୟ ଦେଇ ପାରିବ।

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଶିଷ୍ଟ ଗବେଷକ ପଞ୍ଚାନନ କାନୁନ୍‌ଗୋ ଅତିଥି ଭାବେ ଯୋଗଦେଇ ‘ଲକ୍ଷ୍ମୀପୁରାଣ କଥା’କୁ ଓଡ଼ିଶା ଭିତ‌ରେ ସୀମିତ ନରଖି ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁବାଦ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବରେ ଶ୍ରୀ ପଟ୍ଟନାୟକ ଏକମତ ହୋଇଥିଲେ। ସମ୍ମାନିତ ଅତିଥି, ଶାରଳା ପୁରସ୍କାରପ୍ରାପ୍ତା ଲେଖିକା ବନଜ ଦେବୀ ଯୋଗଦେଇ କହିଲେ, ‘ଲକ୍ଷ୍ମୀ ପୁରାଣ’କୁ ନେଇ ‘ସମ୍ବାଦ’ରେ ପ୍ରକାଶ ପାଉଥିବା ସ୍ତମ୍ଭଲେଖଗୁଡିକୁ ସେ ନିୟମିତ ପଢ଼ୁଥିଲେ। ଏବେ ତାହା ପୂର୍ଣ୍ଣାଙ୍ଗ ପୁସ୍ତକ ରୂପେ ପ୍ରକାଶ ପାଉଥିବାରୁ ସେ ଆନନ୍ଦିତ। ଲେଖିକା‌ ତଥା ରାଜ୍ୟ ମହିଳା କମିସନର ପ୍ରାକ୍ତନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ଓଡ଼ିଆ ସାହିତ୍ୟ ତଥା ସମଗ୍ର ଭାରତରେ ‘ଲକ୍ଷ୍ମୀପୁରାଣ’ ନାରୀ ସଶକ୍ତିକରଣର ଏକ ବଡ଼ ଉଦାହରଣ ବୋଲି ମତ ଦେଇଥିଲେ।

ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ତଥା ଗବେଷକ ମହିମୋହନ ତ୍ରିପାଠୀ ଲେଖକଙ୍କର ଏ‌ହି ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ, ‘ଆମ ଓଡ଼ିଶା’ର ପ୍ରକାଶନ ସମ୍ପାଦକ ତଥା ‘ଲକ୍ଷ୍ମୀପୁରାଣ କଥା’ର ଲେଖକ ଶ୍ରୀ ମହାନ୍ତି ତାଙ୍କ ଲେଖକୀୟ ଅଭିବ୍ୟକ୍ତିରେ କହିଥିଲେ, ଯେ ଗତ ବର୍ଷ ମାର୍ଗଶିର ମାସରେ ‘ସମ୍ବାଦ’ରେ ‘ଲକ୍ଷ୍ମୀପୁରାଣ କଥା’ର ୮୪ଟି ଲେଖା ଧାରାବାହିକ ଭାବେ ପ୍ରକାଶ ପାଇଥିଲା। ସେଥିରେ ୧୭ଟି ନୂଆ ଲେଖା ମିଶାଇ ମୋଟ୍‌ ୧୦୧ଟି ଲେଖା ସମ୍ବଳିତ ଏହି ପୁସ୍ତକ ‘ଲକ୍ଷ୍ମୀପୁରାଣ କଥା’ ପ୍ରକାଶିତ ହୋଇଛି। ବଜାର ସଂସ୍କରଣରେ ଥିବା ତ୍ରୁଟି ବିଚ୍ୟୁତିଗୁଡ଼ିକର ଆଲୋଚନା କରାଯାଇ ଏହି ପୁସ୍ତକରେ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣର ମୂଳପାଠକୁ ଉପସ୍ଥାପିତ କରାଯାଇଛି ବୋଲି ସେ କହିଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଏହି ଉତ୍ସବର ସଂଯୋଜନା କରିଥିଲେ। ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର ଓ ମୁଖ୍ୟ ପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ‘ପୌରୁଷ’ର ସହ-ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରମୁଖ ଏହି ଆସରରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.