ଡକାୟତି କରିବା ସହ ଗାଡି ଭଙ୍ଗାରୁଜା ଘଟଣା: ୫ଅଭିଯୁକ୍ତ  କୋର୍ଟଚାଲାଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଡକାୟତି କରିବା ସହ ଗାଡି ଭଙ୍ଗାରୁଜା ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି। ଏ ନେଇ ସଇଁତଲା ଥାନା କେସ ନଂ ୩୯୨/୨୩ ରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାବାଞ୍ଜି ଥାନା ଅଞ୍ଚଳର ଚଉଳଶୁଖା ଗାଁର ଓମ ପ୍ରକାଶ ମେହେର (୨୬) , ସୁନୀଲ ପଟେଲ (୨୦), ଅମିତ ବେସନ (୨୬) ମାଳିପଡ଼ା, ମେଘମୋହନ ଗହୀର (୨୬) ବନ୍ଦପଡା ଓ ଡ୍ରାଇଭର କୌତୁକ ନାଗ କର୍ଲାବାହାଲି ଗ୍ରାମର ବୋଲି ଜଣାପଡିଛି। ପ୍ରକାଶ ଯେ, ଗତ ଗତ ୩୦ ତାରିଖ ଦିନ ଅପରାହ୍ନ ୪ ଟା ସମୟରେ ସଇଁତଲା ସ୍ଥିତ ତେତେଲପଡାରୁ ଏକ ପିକଅପ ନଂ ଓଡି ୦୩ ଭି ୬୯୮୯ ଗାଡି ଯୋଗେ ମୁରିବାହାଲ ଥାନା ଦେବଙ୍ଗକୁ ଭଡା ଯାଇ ସନ୍ଧ୍ୟାରେ ସଇଁତଲାକୁ ଫେରୁଥିବା ବେଳେ ପଛରେ ଏକ ଆର୍ଟିଗା ଗାଡି ନଂ ଓଡି ୦୩ ୱାଇ ୧୩୪୭ ପିକଅପ ଗାଡିକୁ ପିଛା କରି ଆସୁଥିବା ବେଳେ ରାସ୍ତାରେ ପିକଅପ ଗାଡି ଉପରକୁ ଟେକାପଥର ମାଡ଼ କରିଥିଲେ। ଏହାପରେ ପିକଅପ ଡ୍ରାଇଭର ସ୍ପିଡ଼ରେ ଆସୁଥିବା ବେଳେ ପୁଣି ସଇଁତଲା ଥାନା କୁମ୍ଭାରୀ ଗାଁ ଠାରେ ପିକଅପକୁ ଅଟକାଇ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିବା, ଗାଡିକୁ ଭଙ୍ଗାରୁଜା ସାଙ୍ଗକୁ ଡ୍ରାଇଭରଙ୍କ ଠାରୁ ଟଙ୍କା ଲୁଟ କରିଥିବା ନେଇ ଡ୍ରାଇଭର ସମାରୁ ଭୋଇ ସଇଁତଲା ଥାନାରେ ଲିଖିତ ଏତଲରେ ଦର୍ଶାଇଛନ୍ତି।ଘଟଣାର ଖବର ପାଇଁ ପୋଲିସ ଘଟଣାସ୍ଥଳ ବ୍ଲକ ଛକ ଠାରେ ପହଂଚି ଜଗି ରହିଥିଲା। ପରେ ଡକାୟତ ଦଳ ଗାଡିରେ ବସିଥିଲା ୫ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ଗାଡିକୁ ଜବତ କରି ଥାନାକୁ ଆଣିଥିଲେ। ପରେ ପୋଲିସ ଲୁଟ କରିଥିବା ୩୬୦୦ ଟଙ୍କା, ମୋବାଇଲ ଫୋନ ଓ ଗାଡି ଚାବିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଉକ୍ତ ମାମଲାକୁ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ଘଟଣା ତଦନ୍ତ କରୁଥିବା ଜଣାପଡିଛି। ଖବର ପାଇ ସଇଁତଲା ଡ୍ରାଇଭର ସଂଘର ସମସ୍ତ କର୍ମକର୍ତ୍ତା ଥାନା ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରି ଅଭିଯୁକ୍ତଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.