ଟିକ୍ରାପଡା ଗ୍ରାମରୁ ସୋମବଂଶୀ କାଳର ଦୁର୍ଲ୍ଲଭ ଶିବଲିଙ୍ଗ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା  କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗ୍ରାମର ତନ୍ଦୁଳ ପାହାଡ଼ର ପାଦଦେଶରୁ ସୋମବଂଶୀ କାଳର ଦୁର୍ଲ୍ଲଭ ଶିବଲିଙ୍ଗ (ଶିବଶକ୍ତି) ଉଦ୍ଧାର ହୋଇଛି। ଯାହାର ଲମ୍ବା ୧୬ ସେ. ମି. ଚଉଡା ୭.୫ ସେ.ମି ଏବଂ ଉଚ୍ଚତା ୧୨ ସେ.ମି ଏବଂ ଲିଙ୍ଗର ଲମ୍ବା ୮ ସେ.ମି ଏବଂ ଗୋଲାକାର ୪.୫ ସେ.ମି ରହିଥିବାବେଳେ ଏହି ଶିବଲିଙ୍ଗ ଆଂଶିକ ଖଣ୍ଡିତ ଅବସ୍ଥାରେ ରହିଛି। ଗତ ଡିସେମ୍ବର ମାସ ୧୮ ତାରିଖରେ ଟିକ୍ରାପଡା ଗ୍ରାମର ଶିବ ମନ୍ଦିର ପୂଜକ ରବୀନ୍ଦ୍ର ରାଉତ ଏହି ଶିବଲିଙ୍ଗ (ଶିବଶକ୍ତି) ଟିକୁ ଉଦ୍ଧାର କରି ମନ୍ଦିରରେ ପ୍ରତିଷ୍ଠା କରି ତାର ପୂଜାର୍ଜନା କରୁଛନ୍ତି। ଜମ୍ମୁ ବିଶ୍ବ ବିଦ୍ୟାଳୟର ଇତିହାସ ବିଭାଗର ଆସିଷ୍ଟେଣ୍ଟ ପ୍ରଫେସର ଡକ୍ଟର ତୀର୍ଥରାଜ ଭୋଇ ଏବଂ ପ୍ରତ୍ନତତ୍ତ୍ଵବିଦ୍ ଜିତେନ୍ଦ୍ର କୁମାର ନାଗ ମିଳିତ ଭାବରେ ଟିକ୍ରାପଡା ଅଞ୍ଚଳ ଓ ତନ୍ଦୁଳ ପାହାଡର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କରିଛନ୍ତି। ଉଭୟଙ୍କ ମତରେ ଉଦ୍ଧାର ହୋଇଥିବା ଶିବଲିଙ୍ଗଟି ମନସ୍କାମନା ପୂର୍ବରତ (Votive sibaling) ଶିବଲିଙ୍ଗ ଅଟେ। ଯାହା ଦଶମ ସତାବ୍ଦୀର ସୋମବଂଶୀ କାଳର ଅଟେ। ଏହି ଅଞ୍ଚଳର ସର୍ବେକ୍ଷଣ କରିବା ମଧ୍ୟରେ ଦୁହିଁଙ୍କୁ କୌଣସି ସୋମବଂଶୀ କାଳର ଶିବ ମନ୍ଦିର ଥିବାର ପ୍ରମାଣ ମିଳି ନ ଥିଲା। ଏଥୁରୁ ପ୍ରମାଣିତ ହୁଏ ଯେ ଉଦ୍ଧାର ହୋଇଥିବା ମନସ୍କାମନା ପୂର୍ବରତ ଶିବଲିଙ୍ଗ ଟି ନିକଟବର୍ତ୍ତୀ ବୁଢୀ କୋମନାର ସୋମବଂଶୀ କାଳର ପାତାଳେଶ୍ଵର ଶିବ ମନ୍ଦିରର ଅଥବା ସୁନାବେଡା ଉପତ୍ୟକାର ମାରାଗୁଡା ଘାଟିର ହୋଇଥିବାର ବହୁ ସମ୍ଭାବନା ରହିଛି। କିଛି କାରଣ ବଶତଃ ଏହି ଶିବଲିଙ୍ଗଟି ଟିକ୍ରାପଡା ର ତନ୍ଦୁଳ ପାହାଡ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଛି। ମାରାଗୁଡା ଘାଟି ସୋମବଂଶୀ ରାଜତ୍ଵ ସମୟରେ ମନ୍ଦିର ଏବଂ ମଠ ମାନ ନିର୍ମାଣ ହୋଇଥିଲା ଏବଂ ଏଠାରୁ ବହୁ ପ୍ରତ୍ନତାତ୍ତ୍ଵିକ ସମ୍ପଦ ମାନ ଉଦ୍ଧାର ହୋଇଥିଲା। ଏଥି ମଧ୍ୟରୁ ଗୋଟିଏ ବିଶାଳ ଆକୃତିର ଶବଲିଙ୍ଗ ଉଦ୍ଧାର କରାଯାଇ ପତୋରା ସ୍ଥିତ ନୂତନ ନିର୍ମିତ ଯୋଗେଶ୍ଵର ଶିବ ମନ୍ଦିରରେ ସ୍ଥାପନ କରାଯାଇ ପୂଜା କରାଯାଇଛି। ଏବଂ ଅନ୍ୟ ଗୋଟିଏ ଶିବଲିଙ୍ଗ ଉଦ୍ଧାର କରାଯାଇ ରାଜ୍ୟ ସଂଗ୍ରହାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ଯାହା ବର୍ତ୍ତମାନ ସେଠି ସଂରକ୍ଷିତ ହୋଇ ରହିଛି। ଏବଂ କିଛି ଶିବଲିଙ୍ଗ ଖଣ୍ଡିତ ଅବସ୍ତାରେ ମାରାଗୁଡା ଘାଟିରେ ବର୍ତ୍ତମାନ ପଡି ରହିଛି। ସେମବଂଶୀୟ ରାଜତ୍ଵ ସମସୟରେ ମାରାଗୁଡା ଘାଟିରେ ଶୈବ ମନ୍ଦିରର ଭଗ୍ନାବିଶେଷ ଏବଂ ଶିବଲିଙ୍ଗ ଉଦ୍ଧାରରୁ ପ୍ରମାଣିତ ହୁଏ ଯେ ସୋମବଂଶୀ ରାଜତ୍ଵ ସମୟରେ ସୁନାବେଡା ଉପତ୍ୟକାର ମାରାଗୁଡା ଘାଟି ଶୈବ ଧର୍ମର ଗୋଟିଏ ପ୍ରମୁଖ କେନ୍ଦ୍ର ରହିଥିବ। ସୁନାବେଡା ଉପତ୍ୟକା ବ୍ୟତିତ ଆଖପାଖ ଅଞ୍ଚଳରେ ବହୁ ପ୍ରତ୍ନତତ୍ତ୍ଵ ସମ୍ପଦ ମାନ ଅବହେଳିତ ହୋଇ ପଡି ରହିଛି। ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ଏବଂ ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଏହି ମହତ୍ତ୍ଵପୂର୍ଣ୍ଣ ସୁନାବେଡା ଉପତ୍ୟକାର ସେର୍ବକ୍ଷଣ ଏବଂ ଉତ୍‌ଖନନ କରିବାର ଆବଶ୍ୟକତା ରହିଛି। ତା ଦ୍ଵାରା ସୁନାବେଡା ଉପତ୍ୟକା ଏବଂ ଆଖପାଖ ଅଞ୍ଚଳର ନୂତନ ତଥ୍ୟ ଉଜାଗର ହୋଇ ପାରିବ ଓ ଦେଶର ପ୍ରମୁଖ ପ୍ରତ୍ନତାତ୍ତ୍ୱିକ ସ୍ଥଳ ମାନଙ୍କ ମଧ୍ୟରେ ପରିଗଣିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.