ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମରେ ଅଘଟଣ, ହଟହଟା ହେଲେ ଛାତ୍ରଛାତ୍ରୀ

ଠେଲାପେଲାରେ ଗରମ ତେଲରେ ପଡିଲେ ଜଣେ ଯୁବତୀ, ଅଚେତ ହେଲେ ଆଉ ଜଣେ ଯୁବତୀ

ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଯୋଗାଇ ପାରିଲାନି ଜିଲ୍ଲା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାରେ ନୂଆ -ଓ ଉତ୍ସବ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଘଟିଛି ଅଘଟଣ । କାର୍ଯ୍ୟକ୍ରମରେ ରନ୍ଧା ଖାଦ୍ୟ ଖାଇବା ପାଇଁ ଛାତ୍ର ଛାତ୍ରୀ ମାନେ ଠେଲାପେଲା ବେଳେ ଜଣେ ଛାତ୍ରୀଙ୍କ ଗୋଡ଼ରେ ଗରମ ତେଲ ପଡି ଯିବାରୁ ଛାତ୍ରୀ ଜଣଙ୍କ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ବେଳେ ଠେଲାପେଲାରେ ଆଉ ଜଣେ ଛାତ୍ରୀ ମଧ୍ୟ ଅଚେତ ହୋଇଯିବାରୁ ତାଙ୍କୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଭଲ ରହିଥିବା ଜଣାପଡିଛି ।

ଆଜି ରାୟଗଡାର ଜିଆଇସିଏଆର ପଡିଆରେ ଅନୁଷ୍ଠିତ ହୋଇଥିଲା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ | ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ବିଭିନ୍ନ ସ୍କୁଲ, କଲେଜର ପାଖାପାଖି ୧୫ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଦୁଇ ଜଣ ଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ପାଇ ଜିଲ୍ଲାପାଳ ସ୍ଵଧାଦେବ ସିଂ, ସିଡିଏମଓ ଡାକ୍ତର ଲାଲମୋହନ ରାଉତରାୟଙ୍କ ସମେତ ଅନ୍ୟମାନେ ପହଂଚି ସେମାନଙ୍କ ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିଥିଲେ |

ଘଟଣାକୁ ନେଇ ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଶାସନ ତରଫରୁ ସୂଚନା ଦେଇଛନ୍ତି ଯେ ଆଜି ନୂଆ -ଓ ଯୁବ ଓଡିଶା କାର୍ଯ୍ୟକ୍ରମରେ ଜଣେ ଛାତ୍ରୀ ଜଳୀୟ ଅଂଶ କମିଯାଇଥିବାରୁ ବେହୋଶ ହୋଇଥିଲେ ଏବଂ ଆଉ ଜଣେ ଯୁବତୀ ଗରମ ତେଲ ବାଜି ସାମାନ୍ୟ ପୋଡି ହୋଇଯାଇଛନ୍ତି l ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇ ଡାକ୍ତର ମାନଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ରଖାଯାଇଛି l ବର୍ତ୍ତମାନ ଦୁହେଁ ଛାତ୍ରୀ ସୁସ୍ଥ ଥିବା ଡାକ୍ତର ମାନେ କହିଛନ୍ତି l ସେମାନଙ୍କ ଆଶୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ଜିଲ୍ଲାପାଳ ସ୍ୱଧାଦେବ ସିଂ ତେଲରେ ପୋଡି ହୋଇଥିବା ଛାତ୍ରୀଙ୍କୁ ୩୦ହଜାର ଏବଂ ଅଚେତ ହୋଇଥିବା ଛାତ୍ରୀଙ୍କୁ ୨୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ବୋଲି ଜଣାଇଛନ୍ତି |

ତେବେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ହଜାର ହଜାର ସଂଖ୍ୟାରେ ଛାତ୍ର ଛାତ୍ରୀଙ୍କୁ ଅଣାଯାଇଥିବା ବେଳେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ବ୍ୟବସ୍ଥା କରାଯାଇ ନ ଥିବାରୁ ପିଲାମାନେ ଖାଦ୍ୟ ପାଇଁ ଠେଲାପେଲା ହୋଇଥିଲେ | ଫଳରେ ଦୁଇ ଜଣ ଛାତ୍ରୀ ଏକ ବଡ଼ ଅଘଟଣରୁ ବର୍ତ୍ତୀ ଯାଇଛନ୍ତି ବୋଲି ବିରୋଧୀ କଂଗ୍ରେସ ଦଳର ପଦାଧିକାରୀମାନେ ଅଭିଯୋଗ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.