ପୁଷ୍ପେନ୍ଦ୍ରଙ୍କ ପାଇଁ କଣ୍ଟା ସାଜିବେ ରଶ୍ମୀରେଖା !

ଧର୍ମଗଡ଼ ରାଜନିତୀରେ ଆଲୋଡ଼ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ବିଜୁ ଜନତା ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପୁରା ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ଏହାରି ଭିତରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ରାଜନୈତିକ ଚିତ୍ରକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ବିଜେପି ଓ ବିଜେଡ଼ି କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ରାଜ ପରିବାରର ବୋହୁ ତଥା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ଧର୍ମପତ୍ନୀ ମାଳବିକା କେଶରୀ ଦେଓଙ୍କୁ ବିଜେପି କଳାହାଣ୍ଡି ଲୋକସଭା ପ୍ରାର୍ଥୀ କରିଥିବାବେଳେ ବିଜେଡ଼ି ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ୨୦୧୯ ନିର୍ବାଚନରେ ଲୋକସଭା ଲଢିଥିବା କଳାହାଣ୍ଡି ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଏଥର ପୁଣିଥରେ ନିଜ ନିର୍ବାଚନ ମଣ୍ଡଳୀକୁ ଫେରିଛନ୍ତି। ଗତ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ହୋଇ ଧର୍ମଗଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୌଷଧୀ ବାଗ ଏଥର ବାଦ୍ ପଡ଼ିଛନ୍ତି। ବିଧାୟକ ମୌଷଧୀ ବାଗ ଯାଦବ ସଂପ୍ରଦାୟ ଜଣେ ଜଣାଶୁଣା ନେତା। ସେ ଏଥର ବିଧାୟକ ଦୌଡ଼ରୁ ବାଦ୍ ପଡିଥିବାରୁ କଂଗ୍ରେସ ଏହି ଆସନରେ ନୂତନ ରଣନୀତି ପ୍ରସ୍ତୁତ କରି ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି। ବର୍ତ୍ତମାନ ସୁଦ୍ଧା‌ କଂଗ୍ରେସ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଏପରି ସ୍ଥିତିରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ମହିଳା ସଭାନେତ୍ରୀ ରଶ୍ମୀରେଖା ରାଉତଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଧର୍ମଗଡ଼ରେ ଯାଦବ କାର୍ଡ ଖେଳିପାରେ ବୋଲି ଚର୍ଚ୍ଚା ହେଉଛି। ପୁଷ୍ପେନ୍ଦ୍ର ସିଂହଦେଓ ଜଣେ ଅଭିଜ୍ଞ ରାଜନେତା। ସେ ଅନେକ ଥର ବିଧାୟକ ହୋଇଥିବା ସହ ଓଡ଼ିଶା ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇ ସାରିଛନ୍ତି। କଳାହାଣ୍ଡି ବିଜେଡ଼ିର ମଙ୍ଗ ଧରି ସେ ଦଳକୁ ଜିଲ୍ଲାରେ ଉତ୍ତମ ସ୍ଥିତିରେ ରଖି ପାରିଛନ୍ତି। ଏପଟେ ରଶ୍ମୀରେଖା ରାଉତ ପୂର୍ବରୁ ମୁଶାପାଲି ସରପଞ୍ଚ ଥିବାବେଳେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ମହିଳା ସଭାନେତ୍ରୀ ଏବଂ ଅନେକ ସଂଗଠନ ସହ ଜଡ଼ିତ ରହି ରହି ତୃଣମୂଳ ସ୍ତରରେ ଜନତାଙ୍କ ନିକଟତର ହେଉଥିବା କୁହାଯାଉଛି। ଧର୍ମଗଡ଼ରେ ସ୍ଥାନୀୟ ପ୍ରାର୍ଥୀତ୍ଵ ପ୍ରସଙ୍ଗ ଜୋର ଧରିଛି।  ରଶ୍ମୀରେଖା ସ୍ଥାନୀୟ ମହିଳା ତଥା ଯାଦବ ସଂପ୍ରଦାୟର। ଏପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ହେବାପରେ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଯାଇଛି। ଭକ୍ତ ଦାସ ନର୍ଲାରୁ ବିଧାନସଭା ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି। ଏହା କଂଗ୍ରେସ ଦଳକୁ ନୂତନ ଇନ୍ଧନ ଯୋଗାଇ ଥିବାବେଳେ କଳାହାଣ୍ଡି ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏହାରି ଭିତରେ ଧର୍ମଗଡ଼ରୁ ରଶ୍ମିରେଖା କଂଗ୍ରେସ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ରଶ୍ମୀରେଖା ଧର୍ମଗଡ଼ରୁ ଲଢନ୍ତି ତେବେ ଯାଦବ ଓ ଓବିସି ଭୋଟ ତାଙ୍କ ସପକ୍ଷରେ ଯାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଏପଟେ ବିଜେପି ବିଧାନସଭା ପ୍ରାର୍ଥୀ ଘୋଷଣା କରିନାହିଁ। କଂଗ୍ରେସରୁ ଅନେକ ଆଶାୟୀ ଥିବାବେଳେ ସେମାନଙ୍କ ମଧ୍ୟରୁ ରଶ୍ମୀରେଖା ଅନ୍ୟତମ। ଯଦି କଂଗ୍ରେସ ତାଙ୍କୁ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରେ ତେବେ ବିଜେଡ଼ି ଭୋଟ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ତେବେ ଶୀଘ୍ର କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା ହେବାପରେ ଧର୍ମଗଡ଼ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.