ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇଥିବା କୋକସରା ଅଞ୍ଚଳର ଜଣେ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରୁଛି। ମୃତ ଶ୍ରମିକ ଜଣକ କୋକସରା ବ୍ଳକ ସଦର ମହକୁମା ପଞ୍ଚାୟତ ଚିଲିଗୁଡା ଗ୍ରାମର ମନଧର ଛତ୍ରୀଆ (୪୯) ବୋଲି ଜଣାପଡିଛି। ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତ ୬ମାସ ତଲେ ମନଧର ସ୍ତ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆଙ୍କ ସହ ହାଇଦ୍ରାବାଦ ସହରର ଘୁଚୂପାଳିକୁ ଦାଦନ ଖଟିବାକୁ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ସବୁଦିନ ଭଳି ଶନିବାର ସକାଳେ ମଧ୍ୟ କାମ କରିବାକୁ କମ୍ପାନୀ ଗାଡିରେ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। ତେବେ ଯିବା ସମୟରେ ଗାଡ଼ି ଚକା ତଳେ ପଡି ମନଧରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ହାଇଦ୍ରାବାଦରୁ ମୃତ ଶ୍ରମିକଙ୍କ ଶବ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆସୁଥିବା ପରିବାର ବର୍ଗ ପ୍ରକାଶ କରିଛନ୍ତି। ଘଟଣାଟି ଗାଁରେ ପ୍ରଚାରିତ ହେବାପରେ ଚିଲିଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତ ମନଧରଙ୍କ ପରିବାର ଲୋକେ କ୍ଷତି ପୂରଣ ସହାୟତା ଯୋଗାଇ ଦେବାପାଇଁ ଦାବି କରିଛନ୍ତି। ମୃତ ମନଧର ବୃଦ୍ଧ ଶାଶୁ ଶ୍ୱଶୁରଙ୍କ ସାହାରା ଥିବା ବେଳେ ଜ୍ବାଇଁଙ୍କ ମୃତ୍ୟୁ ପରେ ସମ୍ପର୍ଣ୍ଣ ଭାଙ୍ଗି ପଡିଛନ୍ତି ଶାଶୁ ଶ୍ୱଶୁର ଓ ପରିବାର ଲୋକେ।