ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଶ୍ରୀ ଭଣ୍ଡାରେଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ଭଣ୍ଡାରେ ଓଡ଼ିଶାର ୪୩ତମ ରାଜ୍ୟପାଳ ରୂପେ କାର୍ୟ୍ୟନିର୍ବାହ କରିଥିଲେ। ସେ ୨୧ ଅଗଷ୍ଟ ୨୦୦୭ରୁ ୦୯ ମାର୍ଚ ୨୦୧୩ ପର୍ୟ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ କାମ କରିଥିବା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ତିନି ଥର (୧୯୮୦-୮୨, ୧୯୮୨-୮୮, ୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।