ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଭିନ୍ନ ଅନୁଷ୍ଠାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ, ନର୍ଲା ଡିଗ୍ରୀ କଲେଜ, ନର୍ଲା ଯୁକ୍ତ ଦୁଇ କଲେଜ, ସରସ୍ୱତୀ ଶିଶୁ ମନ୍ଦିର ପ୍ରଭୃତି ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସରେ ୨୦୧୫ରେ ଜୁନ ୨୧ କୁ ଯୋଗ ଦିବସ ଭାବରେ ଘୋଷଣା କରାଯାଇଥିଲା । ଏହା ଏବେ କେବଳ ଭାରତରେ ସୀମିତ ହୋଇ ରହିନାହିଁ । ଏହି ଯୋଗ ଦିବସ ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପାଳିତ ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ନର୍ଲା ବ୍ଲକ ପରିସରରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀପୁନାଥ ସୁନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଲକ ଷ୍ଟାଫ୍, ଅଙ୍ଗନୱାଡି କର୍ମୀ, ବ୍ୟାଙ୍କ ମିତ୍ର, ଆଶା କର୍ମୀ, ଆଇସିଡିଏସ୍ କର୍ମୀ ଏପରି ୨୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ଓ ଜନସାଧାରଣଙ୍କୁ ନେଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହରିଦ୍ୱାର ପତଞ୍ଜଳୀ ଯୋଗ ଶିବିରର ବରିଷ୍ଠ ସଦସ୍ୟ ତଥା ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ବାରିକ ଯୋଗ ଗୁରୁ ଭାବରେ ଯୋଗଦାନ କରି ଯୋଗ ପ୍ରଶିକ୍ଷଣ ଦେଇଥିଲେ ।
ବରିଷ୍ଠ କର୍ମଚାରୀ ମାନଙ୍କ ମଧ୍ୟରେ ସେକ୍ସନ ଅଫିସର ଦିଗ ପଧାନ, ନର୍ଲା ଯୋଗାଣ ଅଧିକାରୀ ଶିବ ମହାନ୍ତି, ସିଡିପିଓ ବିନୋଦିନୀ ପଣ୍ଡା, ଲାଇଭଲିହୁଡ ମିଶନର ସଂଯୋଜକ ସନତ କୁମାର ସାହୁ, ସିପି ଭୋଳାନାଥ ଦାସ, ଆରଡବ୍ଲୁଏସଏସ ର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଜିପିଇଓ ରବି ନାଏକ, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହଶ୍ରାଂଶୁ ମିଶ୍ର, ଜିତେନ୍ଦ୍ର ଯୋଶୀ, ଜଗଜ୍ଜୀବନ ସାହୁ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ସୁକାନ୍ତୀ ବିଶ୍ୱାଳ, ଆକାଉଣ୍ଟ ଅଫିସର ଶ୍ରୀ ତାଣ୍ଡି, ବିଏସଏସଓ ପ୍ରଦୀପ ବେହେରା, ବାଗପୁର ସରପଞ୍ଚ ଗୋପାଳ ହାତୀ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଚନ୍ଦ୍ରା ମାଝୀ, ଯୋଗେଶ କୁମାର ପ୍ରମୁଖଙ୍କ ସମେତ ଅନେକ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆଶା କର୍ମୀ, ଯୋଗାଣ ସହାୟକ, ଜିଆରଏସ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଯୋଗାସନରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।
ଗାଇଡଲାଇନ ଅନୁଯାୟୀ ପ୍ରଥମେ ଦେବ ପୂଜନ ପରେ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଏହାପରେ ଯୋଗାସନ ଶିକ୍ଷା ଦେଇଥିଲେ ଯୋଗଗୁରୁ ଶ୍ରୀ ବାରିକ । ଏହାପରେ ଶପଥପାଠ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ସହଭାଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଭୋଳାନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।