କ୍ରୀଡ଼ାର ପ୍ରଚାର ଓ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ଗଣମାଧ୍ୟମର ଭୂମିକା ରହିଛି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କ୍ରୀଡ଼ାର ପ୍ରଚାର ପ୍ରସାର ଓ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ଗଣମାଧ୍ୟମର ଭୂମିକା ଉପରେ ଓଡ଼ିଶାର ପ୍ରମୁଖ କ୍ରୀଡ଼ାବିତ୍ମାନେ ଗୁରୁତ୍ୱାରୋପ କରିଛନ୍ତି । ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମର ଟେନିସ୍ ଅଡିଟୋରିୟମରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କ୍ରୀଡାବିତମାନେ ଏହା କହିଛନ୍ତି।

ନିଜ ସଫଳ କ୍ରୀଡ଼ା କ୍ୟାରିୟରରେ ଗଣମାଧ୍ୟମ ସହ ନିଜର ଅନୁଭୂତି ବର୍ଣ୍ଣନା କରି ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ କହିଛନ୍ତି ଯେ ଖବରକାଗଜ ଏବଂ ଅନ୍ୟାନ୍ୟ ଗଣମାଧ୍ୟମରେ ତାଙ୍କ ବିଷୟରେ ଖବର ତାଙ୍କୁ ସବୁବେଳେ ନୂଆ ଉଚ୍ଚତାକୁ ଛୁଇଁବାକୁ ପ୍ରେରଣା ଦେଇଥାଏ। ଏକ ସଫଳ କାର୍ଯ୍ୟକ୍ରମ ପରେ ପ୍ରେସକୁ ଭେଟିବା ମୋତେ ଅତ୍ୟନ୍ତ ଆନନ୍ଦ ଦେଇଥାଏ ଏବଂ ମୁଁ ସର୍ବଦା ଏହାକୁ ଅପେକ୍ଷା କରେ ବୋଲି ସେ କହିଛନ୍ତି।

ଅନ୍ୟ ଜଣେ ଅଲିମ୍ପିଆନ୍ କେ ରବି କୁମାର କହିଛନ୍ତି ଯେ ସଂଘର୍ଷ କାଳରେ ତାଙ୍କ ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ଖବର ତାଙ୍କ କ୍ରୀଡ଼ା କ୍ୟାରିୟରକୁ ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଏହି ଅବସରରେ ଦିଲ୍ଲୀର କ୍ରୀଡ଼ା ସାମ୍ବାଦିକ ସନ୍ଦୀପ ମିଶ୍ରଙ୍କୁ ତାଙ୍କ ସଫଳ କ୍ୟାରିୟର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଜଣେ କ୍ରୀଡ଼ା ସାମ୍ବାଦିକ ଭାବରେ ସନ୍ଦୀପ ଲଗାତାର ୯ଟି ହକି ବିଶ୍ୱକପ୍, ଏକାଧିକ ଅଲିମ୍ପିକ୍ କ୍ରୀଡ଼ା, ବିଶ୍ୱକପ୍ ଫୁଟବଲ୍, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପ୍ ଏବଂ ଏସୀୟ କ୍ରୀଡ଼ାରେ ଭାଗ ନେଇଛନ୍ତି।

କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର୍ ବିନୀଲ କ୍ରିଷ୍ଣା ତାଙ୍କ ଅଭିଭାଷଣରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। କ୍ରୀଡ଼ା ଭିତ୍ତିଭୂମିସୁଦୃଢ଼ କରିବା ସହ ଓଡ଼ିଶା ଏବେ କନିଷ୍ଠ ଓ ସବ୍ ଜୁନିୟର କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଉଛି।

ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଦିଗରେ ଓଡ଼ିଶାର ପଦକ୍ଷେପକୁ ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଏନ୍ ଜଗନ୍ନାଥ ଦାସ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.