ସୁବର୍ଣ୍ଣପୁରରେ ‘ମା’ ପାଇଁ ଗଛଟିଏ’ ଅଭିଯାନ

‘ମା’ ଭଳି ବୃକ୍ଷ ମଧ୍ଯ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ’

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବିଶ୍ବ ପରିବେଶ ଦିବସ ସପ୍ତାହ ପାଳନ ଅବସରରେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅଭିଯାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଯୋଗ ଦେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲାର ସବୁ ସ୍ତରରେ ବ୍ୟାପକ କରିବା ନିମନ୍ତେ ଯତ୍ନବାନ ହେବାକୁ ବିଧାୟକ ଶ୍ରୀ ଜଗଦଲା କହିବା ସହ ପ୍ରଶାସନ ତରଫରୁ ଅଧିକରୁ ଅଧିକ ଗଛ ଲଗାଇବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହା ଏକ ସୁନ୍ଦର ଅଭିଯାନ ହୋଇଥିବାରୁ ଏହି କାର୍ଯ୍ୟକ୍ରମକୁ ଜନାଦୃତ କରିବା ନିମନ୍ତେ ସମସ୍ତେ ନିଜ ମା’ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଆହ୍ୱାନ କରିଛନ୍ତି। ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଡିଏଫଓ ମଦନ ଲାଲ ଶର୍ମା, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର ଦଳେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସହକାରୀ ନାଜିର ସହଦେଵ ମେହେର ପ୍ରମୁଖ ଯୋଗଦାନ କରି ସ୍ଵହସ୍ତରେ ଚାରା ରୋପଣ କରିଥିଲେ। ସୂଚନାଯୋଗ୍ୟ ଯେ ବିଶ୍ଵ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏକ ପେଡ୍ ମା’ କେ ନାମ (ମା ପାଇଁ ଗଛଟିଏ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହ୍ବାନ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.