ରୁପ୍ରାରୋଡରେ ସଂପନ୍ନ ହେଲା ହେରାପଞ୍ଚମୀ ନିତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମହାପ୍ରଭୁ ନବଯୌବନ ଦର୍ଶନ ଦେଇ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଚାଲି ଗଲେ ମାଆ ଗୁଣ୍ଡିଚା ଘରକୁ। ସାଙ୍ଗରେ ବଡ଼ଭାଈ ବଳଭଦ୍ର ଓ ଭଉଣୀ ସୁଭଦ୍ରା। ଗଲେ ଯେ ଚାରି ଦିନ ବିତିଗଲା ହେଲେ ମହାପ୍ରଭୁ ଆଉ ଫେରିଲେନାହିଁ। ପଞ୍ଚମ ଦିବସକୁ ଆଉ ମାଆ ରହି ପାରିଲେନାହିଁ। ବିମଳା ଠାକୁରାଣୀଙ୍କ ଠାରୁ ମୋହ ଚୂର୍ଣ୍ଣ ନେଇ ଦାସଦାସୀଙ୍କ ଗହଣରେ ମାଆ ଗଲେ ଆଡପ ମଣ୍ଡପ, ଛଳିଆ ଠାକୁରଙ୍କ ଲୀଳା ଦେଖିବା ପାଇଁ। ମାଆ ଯିବେ ଜାଣି, ପ୍ରଭୁ ପୂର୍ବ ଦିନ ବନକ ସାଜ ହୋଇ ଯାଇଥାନ୍ତି। ମାଆ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ବେଳକୁ ସଞ୍ଜ। ମହାପ୍ରଭୁଙ୍କ ସନ୍ଧ୍ଯାଧୂପ ପୂଜା ଚାଲି ଥାଏ। ଦେଢଶୁର ଅଛନ୍ତି। ସେବାୟତ ମାନେ କବାଟ ଆହୁଡାଇ ଦିଅନ୍ତି, ମା ଜଳାକବାଟି ବାଟେ ମହାପ୍ରଭୁଙ୍କ ଆଡମ୍ବର ଦେଖି କ୍ରୁଦ୍ଧ ହୁଅନ୍ତି। ମହାପ୍ରଭୁ ଶୀଘ୍ର ଆସିବା ପାଇଁ ମାଆ ମୋହଚୂର୍ଣ୍ଣ ପ୍ରଭୁଙ୍କ ଆଡ଼େ ପକେଇଦେଇ ପଳାଇ ଆସନ୍ତି। ନନ୍ଦିଘୋଷ ରଥକୁ ଦେଖି ଲକ୍ଷ୍ମୀ ଆହୁରି କ୍ରୁଦ୍ଧ ହୁଅନ୍ତି। ଆରେ ଏହି ରଥଟା ତ ମହାପ୍ରଭୁଙ୍କୁ ଏଠାକୁ ନେଇ ଆସିଛି। ଅଭିମାନରେ ନନ୍ଦିଘୋଷରଥକୁ ଖୁଣକରି ଖଣ୍ଡେ କାଠ ବାହାରକରି ନେଇ ଆସନ୍ତି। ଫେରିଲା ବେଳେ ଲଜ୍ଜା ବଶତଃ, ସିଧା ବଡ଼ ଦାଣ୍ଡ ହୋଇ ନ ଫେରି ହେରା ଗୋହିରୀ ସାହି ବାଟେ ଶ୍ରୀମନ୍ଦିରକୁ ଫେରିଆସନ୍ତି ମହାଲକ୍ଷ୍ମୀ। ମହାଲକ୍ଷ୍ମୀଙ୍କ ଏ ଲୀଳା ହେରା ପଞ୍ଚମୀ ଭାବେ ଖ୍ୟାତ। ମହାଲକ୍ଷ୍ମୀଙ୍କ ଏହି ମାନବୀୟ ଲିଳା ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଥାଏ। ଗୁରୁବାର ରୁପ୍ରାରୋଡରେ ମଧ୍ୟ ଅନୁଷ୍ଠିତ ହୋଇଛି ହେରାପଞ୍ଚମୀ ନିତି। ପ୍ରଭା ଅଗ୍ରୱାଲ ମହାଲକ୍ଷ୍ମୀ ଭୂମିକାରେ ରହିଥିବାବେଳେ ପଣ୍ଡିତ ନିଗମାନନ୍ଦ ପାତ୍ର, ଭବାନୀ ପ୍ରସାଦ  ରଥ ଓ ମନୋଜ ଦାଶ ନିତି ସଂପାଦନ କରିଥିଲେ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନିଲ କୁମାର ଅଗ୍ରୱାଲ ଓ ସୁମିତ କୁମାର ଅଗ୍ରୱାଲଙ୍କ ତତ୍ବାବଧାନରେ ଆୟୋଜିତ ମହାଲକ୍ଷ୍ମୀଙ୍କ ଏହି ଅପୂର୍ବ ଯାତ୍ରା ଦେଖି ଭକ୍ତମଣ୍ଡଳୀ କୃତାର୍ଥ ହୋଇଛନ୍ତି। ସୁଧିର ଅଗ୍ରୱାଲ, ସୁଦିପ ଅଗ୍ରୱାଲ, ପ୍ରଶାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.