ଚିକିତ୍ସା ଅଭାବରୁ ଗର୍ଭବତୀଙ୍କ ମୃତ୍ୟୁ ଘଟଣା: କାର୍ଯ୍ୟରେ ଅବହେଳା କରିଥିବା ଦୁଇ କର୍ମଚାରୀଙ୍କ ବଦଳି

ଓଡ଼ିଆ ବାର୍ତ୍ତାରେ ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତି ପ୍ରାଣ ହରାଇ ଥିବା ଖବର ଶୁକ୍ରବାର ‘ଓଡ଼ିଆ ବାର୍ତ୍ତା’ରେ ପ୍ରସାରିତ ହୋଇଥିଲା। ଖବର ପ୍ରସାରିତ ପରେ ତତ୍ପରତା ଦେଖେଇଛି ସ୍ବାସ୍ଥ୍ୟ ବିଭାଗ। କାର୍ଯ୍ୟରେ ଅବହେଳା କରିଥିବା ଦୁଇ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ହୋଇଛି। ସୂଚନାଯୋଗ୍ୟ ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳ ବନ୍ଧପାରି ପଞ୍ଚାୟତର ବାଲିସରାରେ ଜଣେ ଗର୍ଭବତୀ ମହିଲା ଚିକିତ୍ସା ଅବହେଳାରୁ ମୃତ୍ୟୁ ବରଣ କରିଥିଲେ। ଏହାକୁ ନେଇ ଗାଁ ତଥା ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଥିବା ବେଲେ ତିନିଦିନ ପରେ ତଦନ୍ତରେ ଯାଇ ଭୁଲ୍ ରେଫର୍ ରିପୋର୍ଟ ଦେଇଥିବା ଡ଼ାକ୍ତରୀ ଟିମକୁ ମଧ୍ୟ ଗାଁ ଲୋକେ ଅଟକ ରଖିଥିଲେ। ଖବରପାଇ ବିଶ୍ଵନାଥପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ତଥା ଗାଁ ଲୋକଙ୍କୁ ବୁଝାଇ ଡ଼ାକ୍ତରୀ ଦଳକୁ ଉଧାର କରିଥିଲେ। ଏହି ଖବର ଶୁକ୍ରବାର ‘ଓଡ଼ିଆ ବାର୍ତ୍ତା’ରେ ପ୍ରକାଶ ପାଇବା ପରେ ଶନିବାର କଳାହାଣ୍ଡି ଜିଲ୍ଲା ଚିକିତ୍ସା ଅଧିକାରୀ ସୁଚିତ୍ରା ପାଣି ବିଶ୍ୱନାଥପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସି ତଦନ୍ତ କରିଥିଲେ। ତଦନ୍ତ ସମୟରେ ସମସ୍ତ ଡାକ୍ତରଖାନା କର୍ମଚାରୀ ଉପସ୍ଥିତ ରହିଥିବାବେଳେ ବାଲିସରାର ଗର୍ଭବତୀ ମହିଳା ଶାନ୍ତି ହରିଜନ ମେଡିକାଲକୁ ଆସିବା ଦିନ ଯେଉଁ କର୍ମଚାରୀ ଥିଲେ ସେମାନଙ୍କୁ ଡାକି ପଚାରି ବୁଝିଥିଲେ। ଏହି ତଦନ୍ତରେ ନର୍ସିଙ୍ଗ ଅଫିସର ସୂର୍ଯ୍ୟକାନ୍ତି ନାଗ ଓ ମହିଳା ୱାଡେନ୍ ପ୍ରେମୀ ଗଉଡ଼ କାର୍ଯ୍ୟରେ ଅବହେଳା ଯୋଗୁଁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଗର୍ଭବତୀ ମହିଳା ଶାନ୍ତି ଅତ୍ୟନ୍ତ ଗୁରୁତର ଅବସ୍ଥାରେ ମେଡିକାଲକୁ ଆସିବା ପରେ ତାଙ୍କୁ ଓ ପରିବାର ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ ଏହି ଦୁଇ କର୍ମଚାରୀ। ତେବେ ଗୁରୁତର ଥିବା ଗର୍ଭବତୀ ମହିଳାଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟକୁ ରେଫର୍ ନକରି ରଥଯାତ୍ରା ଛୁଟି ଅଛି ବୋଲି ଘରକୁ ଫେରିଯିବାକୁ କହିଥିଲେ। ଗାଁକୁ ଗଲାପରେ ଶାନ୍ତିର ମୃତ୍ୟୁ ହୋଇଥିଲା। ଏହାର ତଦନ୍ତ କରି ଜିଲ୍ଲା ଚିକିତ୍ସା ଅଧିକାରୀ ସୁଚିତ୍ରା ପାଣି ନର୍ସିଙ୍ଗ ଅଫିସର ସୂର୍ଯ୍ୟକାନ୍ତି ନାଗଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟକୁ ବଦଳି କରିଥିବା ବେଳେ ୱାଡେନ୍ ପ୍ରେମୀ ଗଉଡ଼ଙ୍କୁ ପାଷ୍ଟିକୁଡ଼ି ଡାକ୍ତରଖାନାକୁ ବଦଳି କରାଯାଇଛି। ତେବେ ଏପଟେ ଆଜି ମୃତ ଶାନ୍ତିଙ୍କ ସ୍ୱାମୀ ଡମ୍ବରୁଧର ହରିଜନ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି। ପରିତାପର ବିଷୟ ଯେ ମୃତ୍ୟୁର ୩ ଦିନ ପରେ ଗାଁକୁ ଯାଇ ରେଫର୍ ରିପୋର୍ଟ ଦେଇଥିବା ଡ଼ାକ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ ଅଞ୍ଚଳରେ ଏବେ ଅଶାନ୍ତିର ବାତାବରଣ ଦେଖା ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.