ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମହାପ୍ରଭୁଙ୍କ ନୀତିକାନ୍ତି ଯେତିକି ସ୍ବତନ୍ତ୍ର ତାଙ୍କର ବେଶ ମଧ୍ୟ ସେତିକି ଚିତାକର୍ଷକ। ବର୍ଷତମାମ ମହାପ୍ରଭୁଙ୍କ ଅନେକ ବେଶ ନୀତି ବିଭିନ୍ନ ପର୍ବପର୍ବାଣୀରେ ଅନୁଷ୍ଠିତ ହୋଇଥାଏ। ସେଥି ମଧ୍ୟରୁ ସୁନାବେଶ ବା ରାଜାରାଜେଶ୍ବର ବେଶ ଅନ୍ୟତମ। ଶ୍ରୀକ୍ଷେତ୍ରରେ ରଥ ଉପରେ ଭରଣ ଭରଣ ସୁନା ମଣ୍ଡିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମହାବାହୁ। ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶ ବିଦେଶରେ ଅନୁଷ୍ଠିତ ହୋଇଯାଇଛି ଘୋଷଯାତ୍ରା। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଠାରେ ମଧ୍ୟ ସୋମବାର ଶାନ୍ତି ଶୃଙ୍ଖଳାର ସହ ବାହୁଡ଼ା ଯାତ୍ରା ସଂପନ୍ନ ହେବାପରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ହୋଇଛି ରାଜାରାଜେଶ୍ବର ବେଶ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ରଥ ଉପରେ ସୁନା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା। ଶ୍ରୀଜୀଉଙ୍କ ପାଖରେ ୫୬ ପ୍ରକାରର ଭୋଗ ଲାଗି ହୋଇଛି। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନିଲ କୁମାର ଅଗ୍ରୱାଲ ଓ ସୁମିତ ଅଗ୍ରୱାଲ ତତ୍ତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ନିଗମାନନ୍ଦ ମହାପାତ୍ର, ଭବାନୀ ପ୍ରସାଦ ରଥଶର୍ମା ଓ ମନୋଜ ଦାଶ ନିତି ସଂପାଦନ କରିଥିଲେ। ବିଶେଷ ସହଯୋଗ କରିଥିଲେ ସୁଧୀର ଅଗ୍ରୱାଲ, ସୁଦିପ ଅଗ୍ରୱାଲ, ପ୍ରଶାନ୍ତ ବେହେରା, କାହ୍ନା ଶର୍ମା, ରୋନିଟ ବେହେରା, ନିରଜ ଶର୍ମା, ଦୁଷ୍ମନ୍ତ ଗଉଡ ପ୍ରମୁଖ। ଅଞ୍ଚଳର ହାଜର ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କ ରାଜାରାଜେଶ୍ବର ବେଶ ଦର୍ଶନ କରିଥିଲେ।