ରୁପ୍ରାରୋଡ ବସ୍ତି ମଝିରେ କୃତ୍ରିମ ଜଳାଶୟର ଭ୍ରମ

ଡ୍ରେନ ଜବରଦଖଲ ଯୋଗୁଁ ହୋଇପାରୁନି ପାଣି ନିସ୍କାସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତି ମଝିରେ ପାଣି ଜମିରହିବା ଫଳରେ କୃତ୍ରିମ ଜଳାଶୟର ଭ୍ରମ ସୃଷ୍ଟି ହୋଇଛି। ରୁପ୍ରାରୋଡ ଷ୍ଟେଟ ବ୍ୟାଙ୍କ ଆରମ୍ଭରୁ ଷ୍ଟେସନ ଛକ ଡେଇଁ ଜଗନ୍ନାଥ ମନ୍ଦିର ଯାଏଁ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ବିଶେଷ କରି ଷ୍ଟେସନ ଛକର ରାସ୍ତା ଅତି ସଙ୍କୁଚିତ ହୋଇ ପଡ଼ିଛି। ଏହାର ଏକମାତ୍ର କାରଣ ହେଉଛି ରାସ୍ତା ଜବରଦଖଲ ବୋଲି କୁହାଯାଉଛି। ରାସ୍ତାର ଦୁଇ କଡରେ ବିଭିନ୍ନ ଷ୍ଟଲ କରିଥିବା ଦୋକାନୀମାନେ ଧିରେ ଧିରେ ରାସ୍ତା କଡର ଡ୍ରେନକୁ ପୋତିଦେବା ସହ ଷ୍ଟଲ ଆଗକୁ ବଢାଇ ରାସ୍ତାକୁ କବ୍ଚା କରିନେଇଛନ୍ତି।

ରାସ୍ତା ଜବର ଦଖଲ ଯୋଗୁଁ ବସ୍ତି ମଝିରେ ବର୍ଷାଦିନେ ପାଣି ଜମାହୋଇ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି ହେଉଛି। ଏହାସହ ନାହିଁନଥିବା ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ରୁପ୍ରାରୋଡ ବସ୍ତି ମଝିରେ ରାସ୍ତାର ଦୁଇପଟେ ନିର୍ମିତ ହୋଇଥିବା ଡ୍ରେନ ଉପରେ ଘରଦ୍ୱାର ଓ ଦୋକାନ ଷ୍ଟଲ ଗୁଡିକ ନିର୍ମାଣ ଯୋଗୁଁ ବସ୍ତି ମଝିରେ ଡ୍ରେନ ଆଉ ନାହିଁ କହିଲେ ଚଳେ। ଫଳରେ ଆଉ ବର୍ଷାପାଣି ଯିବ କୁଆଡେ? ବସ୍ତି ମଝିରେ ରାସ୍ତାସାରା ଆଣଣ୍ଠୁଏ ପାଣି ଜମାହୋଇ ରହୁଛି। ଏଥିପ୍ରତି ନିର୍ବାଚିତ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.