ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର (ନିଲେଶ କୁମାର ନାଗ): ପଦ୍ମଶ୍ରୀ କମଳା ପୂଜାରୀ ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।‌ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ ସେ ଦେଶରେ ପରିଚିତ ଥିଲେ। କେନ୍ଦ୍ର ସରକାର ତାଙ୍କୁ ୨୦୧୯ ମାର୍ଚ୍ଚ ୧୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ। ୧୦୦ରୁ ଅଧିକ କିସମର ଧାନ ସଂରକ୍ଷଣ କରି ବେଶ ଚର୍ଚ୍ଚିତ ଥିଲେ କମଳା। ଜୟପୁରର ପାତ୍ରପୁଟ ଥିଲା ତାଙ୍କର ଜନ୍ମ ଓ କର୍ମ ଭୂମି। ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗ ଠାରେ ତାଙ୍କୁ ଇକ୍ୟୁଟର ଅଫ ଇନିସିଏଟିଭ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା। ୨୦୦୪ ମସିହାରେ ରାଜ୍ୟ ସରକାର ତାଙ୍କୁ ଶ୍ରେଷ୍ଠ ମହିଳା ଚାଷୀ ଭାବେ ସମ୍ମାନିତ କରିଥିଲେ। ସେ ଦିଲ୍ଲୀରେ କୃଷି ବିଷାରଦ ସମ୍ମାନ ମଧ୍ୟ ପାଇଥିଲେ। ପ୍ରଥମ ଆଦିବାସୀ ମହିଳା ଭାବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା ମଧ୍ୟ ଥିଲେ କମଳା। ଅସୁସ୍ଥତା କାରଣରୁ ଜୁଲାଇ ୧୬ ତାରିଖରେ ସେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ୧୭ ତାରିଖରେ କଟକ ସ୍ଥାନାନ୍ତର କରାଯାଇଥିଲା। ଆଜି ତାଙ୍କର ପରଲୋକ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.