ଲଗାଣ ବର୍ଷାରେ ଭାଙ୍ଗିଲା ଅସ୍ଥାୟୀ ପୋଲ: ଯାତାୟାତ ଠପ, ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ବର୍ଷା ଲାଗିରହିଥିବା ବେଳେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ଉପାନ୍ତ ଅଞ୍ଚଳ ତଥା ବିଜେପୁର ଠାରୁ ମୂଷାନାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଅନେକ ସ୍ଥାନରେ ପ୍ରଶସ୍ତିକରଣ ପାଇଁ ପୋଲ ନିର୍ମାଣ ହେଉଛି। ଏଭଳି ସ୍ଥିତିରେ ପୋଲ ଗୁଡ଼ିକ ନିର୍ମାଣ ପାଇଁ ରାସ୍ତା ସମ୍ପୂର୍ଣ୍ଣ ଭାବେ ଖୋଲିଦେଇ ଥିବା ବେଳେ ସାଧାରଣ ଲୋକଙ୍କ ଗମନାଗମନ ପାଇଁ ଏକ ଅସ୍ଥାୟୀ ରାସ୍ତା ଓ ପୋଲ ନିର୍ମାଣ କରାଯାଇଥିଲା। ତେବେ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଥିବବେଳେ ଅଞ୍ଚଳରେ ଏବେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଏବେ ବିଜେପୁର-ମୂଷାନାଲ ମୁଖ୍ୟ ରାସ୍ତା ନିର୍ମାଣ କାମ ଚାଲୁ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ନଦୀ ନାଳ ଗୁଡ଼ିକ ଉପରେ ପୋଲ ଏବଂ କଲଭର୍ଟ ନିର୍ମାଣ କାର୍ଯ୍ୟ ଚାଲୁଛି। କିନ୍ତୁ କିଛି ସ୍ଥାନରେ ସମ୍ପୂର୍ଣ୍ଣ ହୋଇଛି ତ ଆଉ କିଛି ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରିରହିଛି।

ବର୍ଷା ଋତୁ ପୂର୍ବରୁ ଏସବୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରି ଗମନା ଗମନ ବ୍ୟବସ୍ଥାକୁ ସ୍ୱାଭାବିକ ରଖିବାର ଆବଶ୍ୟକ ଥିଲା। କିନ୍ତୁ ଏବେ ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ରାସ୍ତା ଓ ଅସ୍ଥାୟୀ ପୋଲ ଶୋଚନୀୟ ହୋଇଥିବା ବେଳେ ଆଜି ପେଙ୍ଗଶୁର ଗାଁ ନିକଟସ୍ତ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଭାଙ୍ଗି ଯିବାରୁ ଯାନବାହାନ ଯାତାୟାତ ଠପ ରହିଛି। ବିଜେପୁର ଠାରୁ ବିଶ୍ୱନାଥପୁରକୁ ଯାତାୟାତ ପାଇଁ ଗୋଟିଏ ରାସ୍ତା ରହିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖିନ ହେଉଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା ଏବଂ ଠିକାସଂସ୍ଥାର ମନମୁଖୀ ଓ ନିମ୍ନମାନର କାମ ଯୋଗୁଁ ଏସବୁ ସ୍ଥାନରେ ଯାତାୟତ ପାଇଁ ବାଧାପ୍ରାପ୍ତ ଘଟୁଛି। ଯଦି ଏହି ପରି ହୁଏ ତେବେ ଲାଞ୍ଜିଗଡ଼ ବ୍ଲକ ମହକୁମା ସହିତ ଯୋଗାଯୋଗ ଠପ ହେବା ସହିତ ଆମ୍ବୁଲାନ୍ସ ଏବଂ ବିଭିନ୍ନ ଯାନବାହାନ ଚଳାଚଳ ବନ୍ଦ ହେବାର ଆଶଙ୍କା ସୃଷ୍ଟି କରୁଛି। ଅନ୍ୟ ପଟେ ବେନଗାଁ- ଲାଞ୍ଜିଗଡ଼ ରାସ୍ତାର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ବେଳେ ଏହି ରାସ୍ତା ଦୟନୀୟ ଅବସ୍ଥା ହେତୁ ବର୍ଷା ବୃଦ୍ଧି ହେଲେ କୌଣସି ଦିଗରୁ ଯାନବାହାନ ଚଳାଚଳ ହୋଇପରିବ ନାହିଁ ଓ ବ୍ଲକ ମୁଖ୍ୟାଳୟ ସହିତ ଉପାନ୍ତ ଅଞ୍ଚଳ ଲୋକଙ୍କ ପାଇଁ ସଂଯୋଜନା ହେବ ନାହିଁ। ତେବେ ଜିଲ୍ଲାରେ ୨୨ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବବୋଲି ପାଣି ପାଗ ବିଭାଗ ସୂଚନା ଦେଇଥିବାବେଳେ ଯାତାୟତ ପାଇଁ ଲୋକେ ଏବେ ଚିନ୍ତାରେ ପଡିଛନ୍ତି। ତେବେ ଯଥା ଶୀଘ୍ର ଭାଙ୍ଗି ଥିବା ଅସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଗୁହାରି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.