ସ୍କୁଲ ଜାଗାରେ ବ୍ୟକ୍ତିଗତ ଗୃହ ନିର୍ମାଣ; ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଉଡୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ଭୂସମ୍ପତ୍ତି ଉପରେ ଗୋଟିଏ ପରିବାର ଅକ୍ତିଆର କରି ରହିଛନ୍ତି। ବାରମ୍ବାର ତାଙ୍କୁ ଜାଗା ଛାଡିବା ପାଇଁ କୁହାଯାଇଥିଲେ ମଧ୍ୟ କୈାଣସି ପ୍ରକାରରେ ଧ୍ୟାନ ଦେଉ ନାହିଁ। ଏ ନେଇ ଶନିବାର ସ୍କୁଲ ପରିଚାଳନା କମିଟି ପକ୍ଷରୁ ବିଡ଼ିଓ, ତହସିଲଦାର ଓ ବିଇଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଯେ, ବିଦ୍ୟାଳୟର ଭୂସମ୍ପତ୍ତି ପ୍ଳଟ ନମ୍ବର ୧୪୯୭, ୨୪୮୪, ୨୪୮୫ ଓ ୨୪୯୭ ମୈଜାରେ ଚାରୋଟି ପ୍ଳଟ ରହିଛି। ତେବେ ସେଥି ମଧ୍ୟରୁ ଗୋଟିଏ ପ୍ଳଟରେ ବିଦ୍ୟାଳୟ ଗୃହଟିଏ ରହିଛି। ଯେଉଁଥିରେ ଗୋଟିଏ ପରିବାର ଅନେକ ଦିନ ଧରି ବସବାସ କରିଆସୁଛନ୍ତି। ଏନେଇ ଅନେକ ଥର ବିଦ୍ୟାଳୟ ଗୃହ ଛାଡ଼ିବା ନେଇ ତାଗିଦ୍ କରାଯାଇଥିଲେ ମଧ୍ୟ ଉକ୍ତ ପରିବାର ଗୃହ ଛାଡୁ ନାହାଁନ୍ତି। ଏମିତି କି ଉକ୍ତ ସ୍ଥାନରେ ବ୍ୟକ୍ତିଗତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଆଜି କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ରଶ୍ମତା ନେତାମ, ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀ ଓ ତହସିଲଦାର ନବୀନ କିଶୋର ପାଢ଼ୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଅବୈଧ ନିର୍ମାଣକୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଚକ୍ରଧର ବେଶ୍ରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟ ଶଙ୍କର ପାଠୀ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.