ସିକେରକୁପା-କଦମ୍ବଗୁଡା ରାସ୍ତା ଅବସ୍ଥା ଶୋଚନୀୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର ସିକେରକୁପା ଠାରୁ ନର୍ଲା ବ୍ଲକକୁ ସଂଯୋଗ କରୁଥିବା ପିଡବ୍ଲୁଡି ବିଭାଗର ରାସ୍ତା ଏବେ ଶୋଚନୀୟ ହୋଇପଡିଛି। ବର୍ଷକୁ ବର୍ଷ ନିମ୍ନମାନର ମରାମତି ଯୋଗୁଁ ରାସ୍ତା ଉଜୁଡି ଯାଉଥିବା ବେଳେ ମାତ୍ରାଧିକ ପିସି ଓ ଠିକାଦାର ପୋଷା ନୀତି ଯୋଗୁଁ ଏହି ରାସ୍ତା ଟେଣ୍ଡର ପ୍ରକ୍ରିୟାରେ କରାନଯାଇ ବିଭାଗୀୟ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି। ଫଳରେ ଲାଞ୍ଜିଗଡ଼ ବ୍ଲକରୁ ନର୍ଲା ଓ ନର୍ଲା ବ୍ଲକରୁ ଲାଞ୍ଜିଗଡ଼ ବ୍ଲକକୁ ସିଧାସଳଖ ସଂଯୋଗ କରୁଥିବା ଏହି ରାସ୍ତା ଏବେ ବିପଦକୁ ହାତଠାରି ଡାକୁଛି। ରାସ୍ତାର ପ୍ରତି ମିଟରରେ ଖାଲଖମା ଭର୍ତ୍ତି ସହ ବର୍ଷା ଦିନେ ଖାଲରେ ପାଣି ଭର୍ତ୍ତି ରହୁଥିବା ବେଳେ ଏହି ରାସ୍ତା ଦେଇ ଯାତାୟତ କରିବା ଏକପ୍ରକାର ମୁସ୍କିଲ ହୋଇପଡୁଛି।

ଏନେଇ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ହେଁ କୈାଣସି ସୁଫଳ ମିଳୁନାହିଁ। ଗତ କିଛି ମାସ ପୁର୍ବରୁ ପାଣିମୁଣ୍ଡା ଠାରୁ କଦମ୍ବଗୁଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କଦମ୍ବଗୁଡ଼ା ଛକ ଠାରୁ ସିକେରକୁପା ଛକ ପର୍ଯ୍ୟନ୍ତ ଏହି ରାସ୍ତା ବାଦ୍ ପଡ଼ିଛି। ତେବେ ସିକେରକୁପା-କଦମ୍ବଗୁଡାକୁ ସଂଯୋଗ କରୁଥିବା ଏହି ରାସ୍ତାକୁ ମରାମତି ନକରି ନୂତନ ରାସ୍ତା ନିର୍ମାଣ କରିବାପାଇଁ ସାଧାରଣରେ ଦାବି ହେଉଛି। ଲାଞ୍ଜିଗଡ଼ ବ୍ଲକରୁ ନର୍ଲା ବ୍ଲକକୁ ସଂଯୋଗ କରୁଥିବା ଏହି ରାସ୍ତା ତୁରନ୍ତ ନିର୍ମାଣ କରାନଗଲେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.