ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଶାନ୍ତି ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୧୫ ଲକ୍ଷରୁ ଊର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବ୍ୟସ୍ତବହୁଳ ଓଟି ରୋଡ୍‌ରେ ସୋମବାର ହଠାତ୍‌ ଉଠିଥିବା ଧୂଆଁ ଓ ପରେ ଲେଲିହାନ ନିଆଁ ସୃଷ୍ଟି କରିଥିଲା ଆତଙ୍କ। ଅଳ୍ପ ସମୟ ମଧ୍ୟରେ ନିଆଁର ଆଁରେ ଛାରଖାର ହୋଇଗଲା ଶାନ୍ତି ହୋଟେଲ। ରୋଷେଇ ଘରେ ଗ୍ୟାସ୍‌ ସିଲିଣ୍ଡରରେ ସମସ୍ୟା ପରେ ନିଆଁ ଲାଗିଥିବା ଏବଂ ପରେ ସିଲିଣ୍ଡର ବିସ୍ଫୋରଣ ହେବା ଯୋଗୁଁ ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ନିଆଁ ଏତେ ଦ୍ରୁତଗତିରେ ବ୍ୟାପିଥିଲା ଯେ ହୋଟେଲର ଟେବୁଲ, ଚେୟାର, ରୋଷେଇ ସାମଗ୍ରୀ, ବିଦ୍ୟୁତ୍‌ ଉପକରଣ ସମେତ ପ୍ରାୟ ସମସ୍ତ ଆସବାବପତ୍ର ଜଳି ଯାଇଥିଲା। ହୋଟେଲ ନିକଟରେ ରଖା ଯାଇଥିବା ଏକ ବ୍ୟାଟେରିଚାଳିତ ସ୍କୁଟି ମଧ୍ୟ ନିଆଁରୁ ବର୍ତ୍ତି ପାରିନଥିଲା।

ପ୍ରାଥମିକ ଆକଳନ ଅନୁଯାୟୀ କ୍ଷୟକ୍ଷତିର ପରିମାଣ ୧୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା କୁହାଯାଉଥିବା ବେଳେ ସରକାରୀ ଆକଳନ ପରେ ପ୍ରକୃତ କ୍ଷତି ସ୍ପଷ୍ଟ ହେବ। ତେବେ ଅଗ୍ନିକାଣ୍ଡ ସମୟରେ ହୋଟେଲରେ ଗ୍ରାହକ ନଥିବାରୁ ଏକ ବଡ଼ ଧରଣର ଜୀବନହାନି ଏଡ଼ାଇ ଯାଇଛି। ପୁଲିସର ପ୍ରାଥମିକ ସୂଚନା ଅନୁସାରେ ଘଟଣାରେ କେହି ମୃତାହତ କିମ୍ବା ଆହତ ହୋଇନାହାନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସିଲିଣ୍ଡର ବିସ୍ଫୋରଣ ପରେ ନିଆଁ ନିୟନ୍ତ୍ରଣ କରିବା ଚ୍ୟାଲେଞ୍ଜିଂ ହୋଇଥିଲେ ମଧ୍ୟ ପ୍ରାୟ ଏକ ଘଣ୍ଟାର ନିରନ୍ତର ପ୍ରୟାସ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ବ୍ୟସ୍ତ ଓଟି ରୋଡ୍‌ରେ କିଛି ସମୟ ପାଇଁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ସାଙ୍ଗକୁ ଅଗ୍ନିଶମ ଗାଡ଼ି ରହିବାରୁ ପ୍ରାୟ ଏକ ଘଣ୍ଟା ଧରି ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ନିଆଁ ନିୟନ୍ତ୍ରଣ ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।


ଘଟଣା ପରେ ଶାନ୍ତି ହୋଟେଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବେ ଯାଞ୍ଚର ପରିସରକୁ ଆସିଛି। ଏଲପିଜି ବ୍ୟବହାର କରୁଥିବା ଏହି ହୋଟେଲରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ, ତାହା ନେଇ ପ୍ରଶ୍ନ ଉଠିଛି। ସିଲିଣ୍ଡରରେ ତ୍ରୁଟି ଥିଲା କି, ଗ୍ୟାସ୍‌ ଲିକ୍‌ ହୋଇଥିଲା କି, ରେଗୁଲେଟର ଓ ପାଇପ୍‌ର ଅବସ୍ଥା କିପରି ଥିଲା ଏବଂ ହୋଟେଲରେ ଫାୟାର ଏକ୍ସଟିଙ୍ଗୁଇସର ଉପଲବ୍ଧ ଥିଲା କି ନାହିଁ—ଏସବୁ ଦିଗ ତଦନ୍ତରେ ଗୁରୁତ୍ୱ ପାଇବ। ଅଗ୍ନିଶମ ବାହିନୀ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ତଦନ୍ତ ରିପୋର୍ଟ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ।‌ ଏହି ଘଟଣା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ହୋଟେଲ ଓ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଓ ସଚେତନତାର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି। ସମୟୋଚିତ ଭାବେ ଅଗ୍ନିଶମ ବାହିନୀ ପହଞ୍ଚିବାରୁ ଏଥର ବଡ଼ ଧରଣର ଅଘଟଣ ଏଡ଼ାଇ ଯାଇଥିବା ବେଳେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.