ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଓ ଗବେଷଣା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଐତିହାସିକ ପରିଜା ଲାଇବ୍ରେରୀର ସେବା ସମୟ ଏଣିକି ୧୨ ଘଣ୍ଟାକୁ ବୃଦ୍ଧି କରାଯାଇଛି। ସୋମବାର ଠାରୁ ଲାଇବ୍ରେରୀ ପ୍ରତିଦିନ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ପୂର୍ବରୁ ପରିଜା ଲାଇବ୍ରେରୀ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୧୦ ଘଣ୍ଟା ଖୋଲା ରହୁଥିଲା। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ସୁବିଧା ଓ ଗବେଷଣାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ ଆଉ ଦୁଇ ଘଣ୍ଟା ସମୟ ବୃଦ୍ଧି କରାଯାଇଛି।
ସୋମବାର ସକାଳେ ଏହି ବର୍ଦ୍ଧିତ ସମୟର ସେବା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ପରିଜା ଲାଇବ୍ରେରୀ ମୁଖ୍ୟ ଆଶାପୂର୍ଣ୍ଣା ପ୍ରିୟଦର୍ଶିନୀ ନାୟକ ଓ ଲାଇବ୍ରେରୀର କର୍ମଚାରୀମାନେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ସେମାନେ ବର୍ଦ୍ଧିତ ସମୟର ସର୍ବାଧିକ ଉପଯୋଗ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ, ପରିଜା ଲାଇବ୍ରେରୀରେ ବିପୁଳ ଜ୍ଞାନଭଣ୍ଡାର ସହ ପ୍ରାଚୀନ ଓଡ଼ିଶାର ଇତିହାସ, ବିରଳ ପୋଥି ଓ ବହୁ ଗବେଷଣାତ୍ମକ ତଥ୍ୟ ସଂରକ୍ଷିତ ରହିଛି। ଏହି ଜ୍ଞାନସମ୍ପଦର ଉପଯୋଗ କରି ଛାତ୍ରସମାଜ ନିଜର ଜ୍ଞାନକୁ ସମୃଦ୍ଧ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଲାଇବ୍ରେରୀରେ ଅଧ୍ୟୟନ ପାଇଁ ରିଡିଂ ରୁମ୍ ସହ ଆରଏଫଆଇଡି ବ୍ୟବସ୍ଥା ଓ ମାଗଣା ୱାଇ-ଫାଇ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ସେବା ସମୟ ବୃଦ୍ଧି ପାଇବା ଫଳରେ ଛାତ୍ରଛାତ୍ରୀ, ଗବେଷକ ଓ ପାଠକମାନେ ପରିଜା ଲାଇବ୍ରେରୀର ଜ୍ଞାନସମ୍ପଦକୁ ଅଧିକ ସମୟ ଧରି ଉପଯୋଗ କରିପାରିବେ।





