ନର୍ଲାରେ ‘ଭାରତ ବନ୍ଦ’କୁ ଅଦ୍ଭୂତପୂର୍ବ ସମର୍ଥନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର):  ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ବିଭିନ୍ନ ବହୁଜନ ରାଜନୈତିକ ଏବଂ ସାମାଜିକ ସଂଗଠନ ଅଗଷ୍ଟ ୨୧ ବୁଧବାର ଦିନ ଭାରତ ବନ୍ଦ ଡ଼ାକରା ଦେଇଛି। ଉଚ୍ଚ ନ୍ୟାୟାଳୟଙ୍କ ସଂରକ୍ଷଣ ସମ୍ପର୍କିତ ରାୟକୁ ବିରୋଧ କରି ଦେଶ ବ୍ୟାପି ଭାରତ ବନ୍ଦ ଡାକରା ଦିଆ ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ବହୁଜନ ସଂଗଠନଗୁଡିକୁ ନେଇ ଗଠିତ ‘ଏସଟି ଏସସି ଅଧିକାର ସୁରକ୍ଷା ମହାସଂଘ’ ଏହାର ନେତୃତ୍ୱ ନେଇଛି। ଏହି କ୍ରମରେ ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହୋଇଛି। ଏସଟି ଏସସି ଅଧିକାର ସୁରକ୍ଷା ମହାସଂଘ ନର୍ଲା ବ୍ଲକ ସଭାପତି ହରିଶଙ୍କର ମାଝୀଙ୍କ ନେତୃତ୍ୱରେ ନର୍ଲା ଚାରିଛକ ଠାରେ ଭାରତ ବନ୍ଦ ପାଳିତ ହୋଇଛି। ଅଖ ଚକ, ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଜନସାଧାରଣ ସ୍ବତଃ ପ୍ରବୃତ୍ତ ଭାବେ ‘ଭାରତ ବନ୍ଦ’କୁ ସମର୍ଥନ ଦେଇଛନ୍ତି। ବୁଧବାର କାଳ ୬ ଘଣ୍ଟା ସମୟରୁ  ସଂଘର ସଦସ୍ୟ ମାନେ କଳାହାଣ୍ଡି ଜିଲ୍ଲାର ନର୍ଲା, ନର୍ଲାରୋଡ,  ରୁପ୍ରାରୋଡ, ବାଲିପଡା, ଛତିକୁଡା ଛକ ପ୍ରଭୃତି ସ୍ଥାନରେ ପିକେଟିଂ କରି ଦୋକାନ ବଜାର, ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବ୍ଲକ ଅଫିସ ଓ ବ୍ୟାଙ୍କ ଗୁଡିକୁ ବନ୍ଦ କରିଥିଲେ। ଏହାପରେ ନର୍ଲା ଚାରିଛକରେ ସମବେତ ହୋଇ ନାରାବାଜୀ କରି ସୁପ୍ରିମ କୋର୍ଟଙ୍କ ରାୟକୁ ବିରୋଧ କରିବା ସହ ୨୬ ନଂ ଜାତୀୟ ରାଜପଥ ଅବରୋଧ କରି ଅଖଚକ ବନ୍ଦ କରିଥିଲେ। ଛୋଟ ଗାଡି ଓ ବାଇକ ଗୁଡିକ ମଧ୍ୟ ନଛାଡିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଥିଲା।

ନର୍ଲା ଚାରିଛକ ଠାରେ ଏସଟି ଏସସି ଅଧିକାର ସୁରକ୍ଷା ମହାସଂଘ ନର୍ଲା ବ୍ଲକ ସଭାପତି ହରିଶଙ୍କର ମାଝୀଙ୍କ ସମେତ ଉପସଭାପତି ରଘୁନାଥ ଦୀପ, ସାଧାରଣ ସମ୍ପାଦକ ଜୟ ବିଭାର, ବୀରକିଶୋର ମାଝୀ, ଅନ୍ତରାମ ମାଝୀ, ଦୂର୍ଯ୍ୟୋଧନ ମାଝୀ, ଅଭିରାମ ନନ୍ଦ, କିଶୋର ମାଝୀ, କବିତା ବାଗ, ତନୁଜା ହରପାଲ, ଧରମ କୁମାର ତାଣ୍ଡି, ବରୁଣ ନାଏକ, ଶାନ୍ତିଲତା ମାଝୀ, ଦେବରାଜ ମାଝୀ, ଝସକେତନ ମାଝୀ, ଶୈଳ କୁମାର, ଦିଲଦେଓ ଘରଡା, ନିର୍ମଳ ଦୀପ, ଦର୍ପ ସେନାପତିଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ନର୍ଲା ସମେତ ବ୍ଲକର ଛତିକୁଡା ଛକ, ତୁଲାପଡା, ରୁପ୍ରାରୋଡ, ପଲମ, ସେରଗଡ ଆଦି ସ୍ଥାନରେ ମଧ୍ୟ ଭାରତ ବନ୍ଦର ଜୋରଦାର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.