ମା’ ପାଇଁ ବୃକ୍ଷଟିଏ ଅଭିଯାନ ଆରମ୍ଭ : ଅନୁଷ୍ଠିତ ହେଲା ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ମା’ ଭଳି ବୃକ୍ଷ ମଧ୍ୟ ଆମ ଜୀବନର ଏକ ଅବିଛେଦ୍ୟ ଅଙ୍ଗ, କହିଲେ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମିଳିତ ଆନୁକୂଲ୍ୟରେ ‘ମା’ ପାଇଁ ବୃକ୍ଷଟିଏ’ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗତ ୨୨ ତାରିଖ ପୂର୍ବାହ୍ନ ଘ. ୧୧ ମି ସମୟରେ ସ୍ଥାନୀୟ ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ଚାରା ରୋପଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବିକାଶ କହିଥିଲେ ଯେପରି ମା’ ଆମ ଜୀବନର ପ୍ରମୁଖ ଅଂଶବିଶେଷ ସେହିଭଳି ବୃକ୍ଷ ମଧ୍ୟ। ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ। ଏଣୁ ବୃକ୍ଷ ବଞ୍ଚି ରହିଲେ ବିଶ୍ୱ ତିଷ୍ଠି ରହିବ ବୋଲି ଶ୍ରୀ ବିକାଶ ମତ ପ୍ରକାଶ କରିଥିଲେ। ଏହା ଏକ ସୁନ୍ଦର ଅଭିଯାନ ହୋଇଥିବାରୁ ଏହି କାର୍ଯ୍ୟକ୍ରମକୁ ଜନାଦୃତ କରିବା ନିମନ୍ତେ ସମସ୍ତେ ନିଜ ମା’ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଜିଲ୍ଲାପାଳ ଶ୍ରୀ ବିକାଶ ନିବେଦନ ମଧ୍ୟ କରିଛନ୍ତି।

ଚାନ୍ଦିପୁର ବନ୍ୟଜୀବ ବନାଞ୍ଚଳ ଓ ବାଲେଶ୍ୱର ବନ୍ୟଜୀବ ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଧରଣୀଧର ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ, ରେଞ୍ଜ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ଜେନା, ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ପଙ୍କଜ କୁମାର ଦାସ ପ୍ରମୁଖ ଚାରା ରୋପଣ କରିଥିଲେ। ସୂଚନାଯୋଗ୍ୟ, ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ‘ଏକ ପେଡ ମା କେ ନାମ’ (ମା ପାଇଁ ବୃକ୍ଷଟିଏ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆହ୍ୱାନ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.