ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବାଙ୍ଗଲା ଦେଶରେ ବିଦ୍ରୋହୀଙ୍କ ତାଣ୍ଡବ ଲାଗି ରହିଛି । ବାଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ବିଦ୍ରୋହୀଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇ ଆମ ଦେଶରେ ଶରାଣାପନ୍ନ ହୋଇଛନ୍ତି । ବାଙ୍ଗଲାଦେଶୀ ରୋହିଙ୍ଗ୍ୟା ମାନେ ଜୀବନ ବିକଳରେ ଅନ୍ୟତ୍ର ପଳାୟନ କରୁଛନ୍ତି । ବିଶେଷ କରି ଆମ ଦେଶର ପଶ୍ଚିମ ବଙ୍ଗ ଓ ଓଡିଶାକୁ ଏମାନଙ୍କ ଅବାଧ ପ୍ରବେଶ ଘଟୁଥିବା ଦେଖିବାକୁ ମିଳୁଛି । ପୂର୍ବ ଓଡିଶାର ବିଭିନ୍ନ ସ୍ଥାନରେ ବାଙ୍ଗଲାଦେଶୀ ପଳାୟନ ପନ୍ଥି ରୋହିଙ୍ଗ୍ୟା ମାନଙ୍କୁ ଧରପଗଡ କରି ସେମାନଙ୍କ ଆଧାର କାର୍ଡ ଓ ପରିଚୟ ପତ୍ର ମାଗି ସେମାନଙ୍କୁ ତଡୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ରୁପ୍ରାରୋଡ ଓ ନର୍ଲାରୋଡ ରେଳ ଷ୍ଟେସନରେ ଗତ ରାତିରୁ ବାହ୍ୟ ଆଗନ୍ତୁକ ଯାତ୍ରୀଙ୍କ ଭିଡ଼କୁ ଦେଖି ସ୍ଥାନୀୟ ଲୋକେ ହତବାକ ହୋଇ ପଡିଥିଲେ । ସ୍ଥାନୀୟ ଯୁବକ ମାନେ ରୋହିଙ୍ଗ୍ୟା ସନ୍ଦେହରେ ଏମାନଙ୍କ ପରିଚୟ ପତ୍ର, ଆଧାର କାର୍ଡ ଯାଞ୍ଚ କରିଥିବା ଜଣାପଡ଼ିଛି । ଏମାନେ ବିଭିନ୍ନ ଟ୍ରେନରେ ଆସି ବହୁ ସଂଖ୍ୟାରେ ଓହ୍ଲାଇଥିବା ଓ ଦଳ ବାନ୍ଧି ବୁଲୁଥିବାର ଦୃଶ୍ୟ ଦେଖି କିଛି ସ୍ଥାନୀୟ ସଚେତନ ଯୁବକ ଏନେଇ ନର୍ଲା ବ୍ଲକ ଓ ପୋଲିସ ପ୍ରଶାସନକୁ ଖବର କରିଥିବା ଜଣାପଡିଛି ।
ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମାନଙ୍କୁ ମାରପିଟ କରି ଘଉଡାଇଲେ ନର୍ଲା ଅଞ୍ଚଳକୁ ନିଜର ଚରାଭୂଇଁ ଭାବରେ ଚୟନ କରି ଏଠାକୁ ପଲାଇ ଆସୁଥିବା ଆଲୋଚନା ହେଉଛି । ଏମାନେ ଏଇଠି ଚୋରୀ, ରାହାଜାନୀ ଓ ଡକାୟତି ଭଳି କାଣ୍ଡ ଭିଆଇବା ବଡ କଥା ନୁହଁ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ଏଣୁ ବ୍ଲକ ପ୍ରଶାସନ ଓ ନର୍ଲା ପୋଲିସ ପ୍ରଶାସନ ଏମାନଙ୍କ ଉପରେ କଡା ନଜର ରଖି ଏମାନଙ୍କ ପ୍ରକୃତ ପରିଚୟ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।