କବି, ସାମ୍ବାଦିକ ତଥା ସାମାଜିକ କର୍ମୀ ବିରଜା ପ୍ରସାଦ ନାୟକଙ୍କ ପରଲୋକ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କବି, ସାମ୍ବାଦିକ ତଥା ସାମାଜିକ କର୍ମୀ ବିରଜା ପ୍ରସାଦ ନାୟକଙ୍କର ଆଜି ୫ ଟା ୧୫ ମିନିଟ୍ ସମୟରେ ପରଲୋକ ହୋଇଯାଇଛି। ତାଙ୍କର ଦୁଇଟି ଯାକ କିଡନି ଅଚଳ ହେବା ପରେ ସେବିଶେଷ ଭାବରେ ଅସୁସ୍ଥ ହୋଇପଡ଼ିବା ସଙ୍ଗେ ସଙ୍ଗେ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ। କିଛିମାସ ଧରି ସେ ଡାୟଲିସିସରେ ଥିଲେ। ମୃତ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା।

ଛାତ୍ରାବସ୍ଥାରୁ ଜଣେ ଛାତ୍ରନେତା ଭାବରେ ପରିଚିତ ବିରଜା ନାୟକ ଏକଦା ପୂର୍ବତନ ବିଧାୟକ ଅରୁଣ ଦେଙ୍କର ଘନିଷ୍ଠ ସହଯୋଗୀ ଭାବରେ ମଧ୍ୟ ପରିଚିତ ଥିଲେ। ବାଲେଶ୍ବର ଷ୍ଟେସନ୍ ଛକ ଅଞ୍ଚଳରେ ଥିବା ମାର୍କେଟ୍ କଂପ୍ଲେକ୍ସ ନିର୍ମାଣ ଓ ଉଠାଦୋକାନୀମାନଙ୍କୁ ଥଇଥାନ କରିବାରେ ତାଙ୍କ ବିଶେଷ ଭୂମିକା ଥିଲା। ଓଟି ରୋଡ଼୍ ମାର୍କେଟ କଂପ୍ଲେକ୍ସ ବ୍ୟବସାୟୀ ସଙ୍ଘର ସାଧାରଣ ସଂପାଦକ ଭାବରେ ସେ ଅଦ୍ୟାବଧି ଦୋକାନୀମାନଙ୍କର ସ୍ବାର୍ଥ ପାଇଁ ଲଢ଼ି ଆସୁଥିଲେ। ଏଥି ସହିତ ‘ଦି ଟେଲିଗ୍ରାଫ୍’ର ବାଲେଶ୍ବର ପ୍ରତିନିଧି ତଥା ସ୍ବପ୍ରତିଷ୍ଠିତ ‘୨୪×୭’ ନାମରେ ଏକ ସାପ୍ତାହିକ ସମ୍ବାଦପତ୍ର ମଧ୍ୟ ସେ ସମ୍ପାଦନା କରୁଥିଲେ। ଜଣେ କବି ତଥା ସାରସ୍ବତ ସଂଗଠକ ଭାବରେ ମଧ୍ୟ ସେ ବେଶ୍ ପରିଚୟ ପ୍ରତିଷ୍ଠା କରିଥିଲେ। ବାରିପଦାରେ କିଛିକାଳ ଅବସ୍ଥାନ କରୁଥିଲା ସମୟରେ ‘ଆମେ ମଣିଷ’ ଏବଂ ‘ଓ୍ବେଲନେସ୍ ସେଣ୍ଟର’ ଭଳି କେତେକ ଅନୁଷ୍ଠାନ ମାଧ୍ୟମରେ ସମାଜସେବା କାର୍ଯ୍ୟ କରି ଆସୁଥିଲେ। ଗତ ବର୍ଷ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ ଠାରେ ‘ଫେରିଆସ ପକ୍ଷୀ’ ନାମରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରି ସେ ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଭିନ୍ନ ‘ଓ୍ବାଇଡ଼୍ ଏଙ୍ଗେଲ୍’ ନାମରେ ଆଡ଼ଭାଟାଇଜିଂ ଏବଂ ପ୍ଲେସମେଣ୍ଟ ଏଜେନ୍ସି ପ୍ରତିଷ୍ଠା କରି ବାଲେଶ୍ବର ଓ ମୟୂରଭଞ୍ଜ ଅଞ୍ଚଳର ବହୁ ଲୋକଙ୍କୁ ଚାକିରୀ ଦେବାରେ ସହଯୋଗ କରିଥିଲେ। ତାଙ୍କର ପରଲୋକରେ ବାଲେଶ୍ବର ଏବଂ ମୟୂରଭଞ୍ଜରେ ବହୁଲୋକ ଶୋକାଭିଭୂତ ହେବା ସଙ୍ଗେସଙ୍ଗେ ତାଙ୍କୁ ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.