ନର୍ଲା: ନ୍ୟାୟ ପାଇବାରୁ ବଞ୍ଚିତ ଭାରତୀୟ ସେନାର ଯବାନ !

ଯବାନ ସୁଶାନ୍ତ ଠାକୁରଙ୍କୁ ହୋଇଥିଲା ମରଣାନ୍ତକ ଆକ୍ରମଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେଶ ମାତୃକାର ସେବାପାଇଁ ସମର୍ପିତ ଭାରତୀୟ ସେନାର ଜଣେ ଯବାନ ନ୍ୟାୟ ପାଇବାରୁ ବଞ୍ଚିତ ହେବା ଘଟଣା ନର୍ଲା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଥିବାବେଳେ ପୋଲିସ ଉପରେ ବର୍ଷିଛନ୍ତି ସଂପୃକ୍ତ ଯବାନ ଜଣକ। ପ୍ରାପ୍ତ ସୂଚନା ଆଧାରରେ କଳାହାଣ୍ଡି ଜିଲ୍ଲା ଥାନା ଅନ୍ତର୍ଗତ ମୁଣ୍ଡାଗାଁର ଯୁବକ ସୁଶାନ୍ତ କୁମାର ଠାକୁର ଭାରତୀୟ ସେନାର ଇନଫେନଟ୍ରି ରେଜିମେଣ୍ଟ ଜମ୍ମୁରେ କାର୍ଯ୍ୟରତ ଅଛନ୍ତି। ସେ ନୂଆଖାଇ ପାଇଁ ଘରକୁ ଆସିଥିବା ସମୟରେ ଗତ ସେପ୍ଟେମ୍ୱର ୧୦ ତାରିଖ ଦିନ ତାଙ୍କୁ ମୁଣ୍ଡାଗାଁର ୬ ଜଣ ବ୍ୟକ୍ତି ତାଙ୍କୁ ଟାଙ୍ଗୀଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଯବାନ ସୁଶାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଣେ ଯବାନଙ୍କୁ ଦିନ ଦ୍ବିପହରରେ ମରଣାନ୍ତକ ଆକ୍ରମଣ କରାଯାଇଥିବାରୁ ସ୍ତବ୍ଧ ହୋଇ ଯାଇଥିଲା ମୁଣ୍ଡାଗାଁ ସମେତ ନର୍ଲା ଥାନା ଅଞ୍ଚଳ। ଏହାକୁ ନେଇ ସୁଶାନ୍ତଙ୍କ ଭାଇ ଯୁଗାନ୍ତ ନର୍ଲା ଥାନାର ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାରେ ମୋଟ ୬ଜଣ ଅଭିଯୁକ୍ତ ଥିବାବେଳେ ନର୍ଲା ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାକୁ ଆଠ ଦିନ ବିତି ଯାଇଥିଲେ ମଧ୍ୟ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିନାହିଁ। ପୋଲିସର ଏହି ବିଫଳତାକୁ ନେଇ ଯବାନ ଜଣକ ଜୋର୍ ବର୍ଷିବା ସହ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଭାରତୀୟ ସେନାର ଜଣେ ଯବାନ ହୋଇ ଯଦି ନ୍ୟାୟ ପାଇପାରୁ ନାହିଁ ତେବେ ସାଧାରଣ ଜନତାଙ୍କୁ ନର୍ଲା ପୋଲିସ କିଭଳି ସୁରକ୍ଷା ଦେଉଥିବ ସହଜେ ଅନୁମେୟ। ମୋତେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିନାହିଁ। ଏହାର ଭିତିରି ରହସ୍ୟ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି। ଯବାନ ଶ୍ରୀ ଠାକୁର କହିଛନ୍ତି, ମୁଁ ଜଣେ ଗଣ୍ଡ ସମ୍ପ୍ରଦାୟର ଆଦିବାସୀ ଯୁବକ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ଯ ଜଣେ ଆଦିବାସୀ ସଂପ୍ରଦାୟର ବ୍ୟକ୍ତି। ଏପଟେ ମୋହନ ମାଝୀ ସରକାରଙ୍କ ପୋଲିସ ପ୍ରଶାସନ ଆଦିବାସୀ ଯବାନଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା ଓ ପକ୍ଷପାତିତା କରୁଛନ୍ତି। ଫେରାର ଅଭିଯୁକ୍ତମାନେ ମୋତେ ଜୀବନରୁ ମାରି ଦେବାର ଧମକ ଦେଉଛନ୍ତି। ତେଣୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଭାରତୀୟ ଯବାନ ଶ୍ରୀ ଠାକୁର ନ୍ୟାୟ ଯୋଗାଇ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.