ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସଦର ସୁବର୍ଣ୍ଣପୁର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ଲକ ଅଞ୍ଚଳର ୧୫ଟି ଗ୍ରାମ ପଞ୍ଚାୟତରୁ ଶତାଧିକ ହିତାଧିକାରୀ ଯୋଗଦେଇ ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବିଭିନ୍ନ ଶାରୀରିକ ଭିନ୍ନକ୍ଷମଙ୍କ ସମେତ ଦୃଷ୍ଟି ବାଧିତ, ଶ୍ରବଣ ବାଧିତ, ସିକିଲ ସେଲ ପରି ପଞ୍ଜିକୃତ ହିତାଧିକାରୀଙ୍କ ସ୍ୱାସ୍ଥ୍ୟଯାଞ୍ଚ ଓ ପରୀକ୍ଷଣ କରାଯାଇ ପ୍ରମାଣ ପତ୍ର ଦିଆଯିବାର ବ୍ୟବସ୍ଥା କରାଯାଇଛି। ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସାମର୍ଥ୍ୟ ଶିବିରରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।