ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ଗୋଲାମୁଣ୍ଡା (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତ୍ରି-ଦିବସୀୟ ଶିବିରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜିବ କୁମାର ସାହୁ , ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ଓ ଗବେଷକ ସତ୍ୟ ନାରାୟଣ ମୁଣ୍ଡଛିନା ଯୋଗଦେଇ ଶିବିରାର୍ଥିମାନଙ୍କୁ ଯୁବ ରେଡକ୍ରସର ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଶିବିରର ଉଦ୍ଦେଶ୍ୟ ଓ ନିୟମାବଳୀ ବିଷୟରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ଗୋବିନ୍ଦ ସାହୁ ମଞ୍ଚ ସଂଯୋଜନା କରିଥିଲେ ଓ ଉପାଧ୍ୟକ୍ଷ ନବୀନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ଧର୍ମଗଡ଼ ଉପଖଣ୍ଡର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏହି ତ୍ରି ଦିବସୀୟ ଶିବିରରେ ରେଡକ୍ରସର ଇତିହାସ, ବିକାଶ, ଚିହ୍ନ ମୌଳିକ ନୀତି, ରକ୍ତଦାନର ଆବଶ୍ୟକତା ଓ ମହତ୍ତ୍ୱ, ପ୍ରାଥମିକ ଚିକିତ୍ସା, ଜଳବାୟୁ ପରିବର୍ତ୍ତନ, ସାମାଜିକ ପରିବର୍ତ୍ତନରେ ସ୍ଵେଚ୍ଛାସେବୀଙ୍କ ଭୂମିକା, ମହିଳା ସଶକ୍ତିକରଣ, ସଡ଼କ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, ଅଗ୍ନି ନିରାପତ୍ତା, ସାଇବର ନିରାପତ୍ତା, ଯୋଗ ଓ ପ୍ରାଣାୟାମ ବିଷୟରେ ପ୍ରଶିକ୍ଷଣ ଦିଆଯିବ ଓ ଶିବିରାର୍ଥି ମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ ହେବ। ଶିବିରର ଦ୍ବିତୀୟ ଦିବସରେ ଏକ ରକ୍ତଦାନ ଶିବିର ଆୟୋଜନ ହେବା ପାଇଁ ସ୍ଥିର କରାଯାଇଛି। ଶିବିରରର ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀମାନେ ସହଯୋଗ କରୁଥିବା ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.