ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବିଜୁ ଏକ୍ସପ୍ରେସୱେର କୋକସରା ବ୍ଳକ ସାନପୋଡାଗୁଡା ନିକଟରେ ଥିବା ଯାତ୍ରୀ ପ୍ରତିକ୍ଷାଳୟକୁ କେହି ଦୁବୃର୍ତ୍ତ ନିଆଁ ଲଗାଇ ଜାଳି ଦେଇଥିବା ଜଣାପଡିଛି। ଯାହା ଫଳରେ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଯେ’ ବିଜୁ ଏକ୍ସପ୍ରେସୱେ ନିର୍ମାଣ ସମୟରେ ଅଞ୍ଚଳବାସୀଙ୍କ ଦାବି ପରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ରାସ୍ତା କଡ଼ରେ ଏକ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ବିଭିନ୍ନ ସ୍ଥାନକୁ ଯିବାପାଇଁ ବସ ଅପେକ୍ଷାରେ ଥିବା ଯାତ୍ରୀମାନେ ଦୈନିକ ଏଠାରେ ଆସି ବସ ଆସିବା ପର୍ଯ୍ୟନ୍ତ ବିଶ୍ରାମ କରୁଥିଲେ। ଖରା ଓ ବର୍ଷା ସମୟରେ ଏହି ବସ ଷ୍ଟାଣ୍ଡ ଯାତ୍ରୀଙ୍କ ପାଇଁ ବେଶ୍ ସହାୟକ ହେଉଥିଲା। ହେଲେ କେହି ଏହି ଯାତ୍ରୀ ପ୍ରତିକ୍ଷାଳୟକୁ ନିଆଁ ଲଗାଇ ଜାଳି ଦେଇଛି। ଯାହା ଫଳରେ ବସଷ୍ଟାଣ୍ଡ ଉପରେ ଥିବା ପ୍ଳାଷ୍ଟିକ ଚଦର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ବର୍ତ୍ତମାନ ବସ ଅପେକ୍ଷାରେ ଆସୁଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରକାଶ କରିଥିବା ବେଳେ ଏହାକୁ ତୁରନ୍ତ ମରାମତି କରିବା ପାଇଁ ଦାବି ହୋଇଛି।