ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): “ଉପକୂଳ ଅଞ୍ଚଳର ପରିବେଶ ଏବଂ ଜୀବିକାର୍ଜନ ଉଦ୍ଦେଶ୍ଯରେ ଆହ୍ବାନ” ପ୍ରସଙ୍ଗ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ଓ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡର ମିଳିତ ସହଯୋଗରେ ଏକ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ସମ୍ମାନିତ ଅତିଥି ଭାବେ ଓଡ଼ିଶା ପରିବେଶ ସୋସାଇଟିର ସେକ୍ରେଟାରୀ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ, ମୁଖ୍ଯ ଅତିଥି ଭାବେ କଲ୍ୟାଣୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର, ପ୍ରଫେସର ସୁବାସ ଚନ୍ଦ୍ର ସାନ୍ତ୍ରା ପ୍ରମୁଖ ଯୋଗଦେଇ ଉପକୂଳ ଅଞ୍ଚଳର ପରିବେଶ ଓ ଏଠାରେ ବସବାସ କରୁଥିବା ଲୋକମାନଙ୍କ ଜୀବନଯାପନ ଓ ଜୀବିକା ପ୍ରତି ରହିଥିବା ପ୍ରଭାବ ଦେଖା ଯାଉଥିବା ଜଟିଳତା ଗୁଡିକ ସଂପର୍କରେ ଆଲୋକପାତ କରିଥିଲେ।
ଉପକୂଳଗତ ପରିବେଶର ପରିବର୍ତ୍ତିତ ଆକାରକୁ ନେଇ ପରିବେଶବିତ ତଥା ବିଶେଷଜ୍ଞ ମାନେ ଚିନ୍ତାଶୀଳ ଥିବା ବେଳେ ଏକ ସ୍ଥାୟୀ ଆଭିମୁଖ୍ୟ ଗ୍ରହଣ କରିବା ତଥା ଉପକୂଳ ପରିବେଶକୁ ନିୟନ୍ତ୍ରଣ ଏବଂ ପରିଚାଳନା କରିବା ଯାହା
ନକାରାତ୍ମକ ପ୍ରଭାବ ଯାହା ମଣିଷ ଦ୍ବାରା କିମ୍ବା ସ୍ଵତଃ ପ୍ରାକୃତିକ ଶକ୍ତି ଦ୍ବାରା ସୃଷ୍ଟି ହୋଇଥାଏ, ବିଷୟଟି ଏହି ସମ୍ମିଳନୀର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟେ। ଏହି ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ବୈଷୟିକ ଅଧିବେଶନ ଗୁଡିକରେ ଭାରତର ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଓ ଶିକ୍ଷାନୁଷ୍ଠାନର ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି।
ଏହି ଦୁଇଦିନରେ ଅନୁଷ୍ଠିତ ହେବାକୁ ପ୍ରସ୍ତୁତ ଚାରୋଟି ଅଧିବେଶନରେ ଜଳବାୟୁ ପରିବର୍ତ୍ତନ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ପ୍ରଭାବ ଏହାର ପ୍ରଭାବ, ଉପକୂଳିଆ ଜଳ ଉତ୍ସ ଏବଂ ଏହାର ପରିଚାଳନା (ଲୁଣିଆ ଜଳ, ଫ୍ଲୋରାଇଡ୍ ପ୍ରଦୂଷଣ), ଉପକୂଳର ପରିବେଶ ପ୍ରଦୂଷଣର କାରଣ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ବର୍ଜ୍ୟବସ୍ତୁ ପରିଚାଳନା, ଉପକୂଳିଆ ଖଣିଖାଦାନର ପରିସର ଏବଂ ପରିବେଶ, ଉପକୂଳ ପରିବେଶର ପରିବର୍ତ୍ତନ ପ୍ରଭାବ ଓ ଏହାର ଆକଳନ, ଉପକୂଳଗତ ଜୈବ ବିବିଧତାର ନିରୀକ୍ଷଣ ଓ ସଂରକ୍ଷଣ, ସାମୁଦ୍ରିକ / ଇଷ୍ଟୁଆରିନ୍ ମାଇକ୍ରୋବାୟଲ୍ ବିବିଧତା ଏବଂ ଏହାର ଗୁରୁତ୍ୱ, ଏହି ଅଞ୍ଚଳର ବାୟୋ-ଅନୁସନ୍ଧାନ ବାୟୋଟେକ୍ନୋଲୋଜିକାଲ୍ ପଦ୍ଧତିରେ ଜୈବ ଉତ୍ସଗୁଡ଼ିକ ମାଧ୍ୟମରେ ଉପଯୋଗ, ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ କୃଷି, ଓଡ଼ିଶା ତଟରେ ସାମୁଦ୍ରିକ ମତ୍ସ୍ୟଚାଷର ଅତୀତ ଏବଂ ବର୍ତ୍ତମାନର ସ୍ଥିତି ଆକଳନ ଇତ୍ୟାଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ସହ ଉପସ୍ଥାପିତ ତଥ୍ଯ ସହ ଆଲୋକପାତ କରାଯିବ। ଉଦଘାଟନୀ ଉତ୍ସବରେ ପରିବେଶ ବିଜ୍ଞାନ ବିଭାଗର ମୁଖ୍ଯ ଡ଼କ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରାରମ୍ଭିକ ଉଦବୋଧନ ଦେଇ ସମ୍ମିଳନୀର ଆଭିମୁଖ୍ଯ ସଂପର୍କରେ ଅବଗତ କରିଥିଲେ।ବିଭାଗର ଅଧ୍ୟାପିକା ଅର୍ପିତା ବାନାର୍ଜୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଓ ସମ୍ମିଳନୀର ସଂଯୋଜକ ଡ଼କ୍ଟର ମିହିର ତନୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।