ନର୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ରେଡ୍କ୍ରସର ଯୁବ ପରାମର୍ଶଦାତା ତଥା ଇଂରାଜୀ ଅଧ୍ୟାପକ ଚିରଞ୍ଜିତ ମାଝୀ ପରିଚାଳନା କରିଥିଲେ। ଏନେଇ କଲେଜ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟତ ଯୋଗଦାନ କରି ମାରାତ୍ମକ ଏଡ୍ସ ରୋଗ ବିଷୟରେ ବର୍ଣ୍ଣନା କରି ଏଥିପ୍ରତି କିପରେ ସଚେତନ ହୋଇପାରିବା ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଭବାନୀଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ତଥା ରେଡକ୍ରସ୍ ର ପରାମର୍ଶଦାତା ଶ୍ରୀ ମାଝୀ ଏଡ୍ସ ରୋଗର ଇତିହାସ ଏବଂ ତତ୍ ସମ୍ପର୍କିତ ଏକ ବିସ୍ତୃତ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଏଡ୍ସ ରୋଗ ଭୟାବହତା ବିଷୟରେ ସଚେତନତା କରିଥିଲେ। ଅଧ୍ୟାପକ ସୁରେଶ ଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦାନ କରି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମାନବାଧିକାର ଏଚଆଇଭି ଏବଂ ଏଡ଼ସ ନିରାକରଣ ବିଷୟରେ ପ୍ରବନ୍ଧ ପ୍ରତିଯୋଗୀତା, ଏଡ଼ସ ସଚେତନତା ବିଷୟରେ ବକ୍ତୃତା ଓ ରଚନା ଲିଖନ ପ୍ରତିଯୋଗୀତା, ୨୦୨୩ ସୁଦ୍ଧା ଜନ ସ୍ଵାସ୍ଥ୍ୟ ଆତଙ୍କ ଭାବରେ ବିଦିତ ଏଚଆଇଭି ଏଵଂ ଏଡ଼ସ ନିରାକରଣ କରାଯାଇ ପାରିବକି ବିଷୟ ଉପରେ ତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସମସ୍ତ ଇଭେଣ୍ଟର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା। ଶାରୀରିକ ଶିକ୍ଷକ ସୁମନ୍ତ ପୁଝାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଶମ୍ଭୁ ଜଡା, ପ୍ରସନ୍ନ ଗଉଡିଆ, ଗୋପିନାଥ ଥପା, ବୃନ୍ଦାବନ ଗଉଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ଅଧ୍ୟାପିକା ମିନତୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି ନର୍ଲା ଡିଗ୍ରୀ କଲେଜରେ ମଧ୍ୟ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଏଡ୍ସ୍ ଦିବସ ପାଳିତ ହୋଇଥିଲା। ନର୍ଲା ମାଉଣ୍ଟେନ କିଡ ଇଂଲିସ୍ ମିଡିୟମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଶୋଭାଯାତ୍ରାରେ ବାହାରି ନର୍ଲା ବସ୍ତି ପରିକ୍ରମା କରି ଏଡ୍ସ ବିଷୟରେ ଜନ ସଚେତନତା ସୃଷ୍ଟି କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.