ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଶିଶୁ ଶ୍ରମମୁକ୍ତ ବାଲେଶ୍ୱର ତଥା ଶିଶୁ ଶ୍ରମମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶିଶୁ ଶ୍ରମ ନିରୋଧ ଓ ନିୟନ୍ତ୍ରଣ ନେଇ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ସଭା ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ସଞ୍ଜୟ କେଶରୀ ପ୍ରଧାନ ସ୍ୱାଗତ ଅଭିଭାଷଣ ଦେଇ ସଭାର ଉଦ୍ଦେଶ୍ୟ ଓ ଶିଶୁ ଶ୍ରମ ନିରୋଧର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶିଶୁ ଶ୍ରମିକ ନିରୋଧ ଏବଂ ଶିଶୁ ଶ୍ରମମୁକ୍ତ ବାଲେଶ୍ୱର ଗଠନ ଉପରେ ଗୁରୁତ୍ୱାରୋପ କରିବା ସହ ଉପସ୍ଥିତ ସମସ୍ତ ଅଧିକାରୀ ଓ ସଦସ୍ୟଙ୍କୁ ଶିଶୁ ଶ୍ରମ ନିରୋଧ ସମ୍ପର୍କିତ ଶପଥ ପାଠ କରାଇଥିଲେ। ଉପସ୍ଥିତ ସମସ୍ତେ ଶିଶୁ ଶ୍ରମ ନିରୋଧ ଦିଗରେ ସେମାନଙ୍କର ଦାୟିତ୍ୱ ଓ ପ୍ରତିବଦ୍ଧତା ନେଇ ଶପଥ ଗ୍ରହଣ କରିଥିଲେ।
ଏହାପରେ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମମୁକ୍ତ ସମାଜ ଗଠନ ସମ୍ପର୍କିତ ଏକ ସଚେତନତାମୂଳକ କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଶିଶୁ ଶ୍ରମ ନିରୋଧ ଆଇନର ବିଭିନ୍ନ ଦିଗ, ଏହାର କାର୍ଯ୍ୟକାରୀ ଅନୁପାଳନ, ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ଟାସ୍କ ଫୋର୍ସର ସମସ୍ତ ସଦସ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରି ଶିଶୁ ଶ୍ରମ ନିରୋଧ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସଭାରେ ବିଭିନ୍ନ ଏନ୍ଜିଓର ପ୍ରତିନିଧିମାନେ ଆଗାମୀ ସଭାଗୁଡ଼ିକରେ ରେଳବାଇ ପୋଲିସକୁ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ। ରେଳପଥ ମାଧ୍ୟମରେ ଚାଲାଣ ହେଉଥିବା ଶିଶୁ ଶ୍ରମିକଙ୍କୁ ଚିହ୍ନଟ ଓ ଉଦ୍ଧାର କରିବା ସହ ସେମାନଙ୍କର ଥଇଥାନ ପାଇଁ ରେଳବାଇ ପୋଲିସର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ। ଏହି ସଭାରେ ଡେପୁଟୀ ଜିଲ୍ଲାପାଳ, ଜିଲ୍ଲା ସହ-ଶ୍ରମ ଅଧିକାରୀ ଶୈଳସୂତା ଦାସ, ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସହକାରୀ ଶ୍ରମ ଅଧିକାରୀ, ଶିଶୁ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରମିକ ସଂଗଠନର ପ୍ରତିନିଧି, ଚାଇଲ୍ଡ ଲାଇନ୍ର ସଦସ୍ୟ ଓ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ। ଶିଶୁ ଶ୍ରମ ନିରୋଧ ପାଇଁ ବିଭିନ୍ନ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ସମନ୍ୱିତ ପ୍ରୟାସ ଉପରେ ସଭାରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ସହ ସଭାର ସମାପ୍ତି ହୋଇଥିଲା।





