ଛାତ ଉପରେ ସୌର ଶକ୍ତିକୁ ପ୍ରୋତ୍ସାହନ: ବାଲେଶ୍ୱରରେ ଟିପିଏନ୍‌ଓଡିଏଲ୍‌ର ‘ସୋଲାର ରଥ’ ଅଭିଯାନ ଆରମ୍ଭ କଲେ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ‘ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଘରର ଛାତ ଉପରେ ସୌର ବିଦ୍ୟୁତ୍ ବ୍ୟବସ୍ଥା ପ୍ରତିଷ୍ଠାକୁ ପ୍ରୋତ୍ସାହନ ଦେବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ବାଲେଶ୍ୱରରେ ‘ସୋଲାର ରଥ’ ଅଭିଯାନ ଆରମ୍ଭ କରାଯାଇଛି। ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସୂର୍ଯ୍ୟବଂଶୀ ମୟୂର ବିକାଶ ‘ସୋଲାର ରଥ’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ, ବାଲେଶ୍ୱର ବିଦ୍ୟୁତ୍ ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ରୟଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଆଞ୍ଚଳିକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏହି ଅଭିଯାନ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ସରକାରୀ ସବ୍‌ସିଡି, ଯୋଗ୍ୟତା ମାନଦଣ୍ଡ, ଆବେଦନ ପ୍ରକ୍ରିୟା ଏବଂ ଉପଯୁକ୍ତ ବୈଷୟିକ ସମାଧାନ ସମ୍ପର୍କରେ ସଚେତନ କରାଯିବ। ଘରୋଇ ଛାତ ଉପରେ ସୌର ବିଦ୍ୟୁତ୍ ସ୍ଥାପନକୁ ସହଜ କରିବା ପାଇଁ ୧ କିଲୋୱାଟ୍‌ର ୟୁଟିଲିଟି-ଲେଡ୍ ଏଗ୍ରିଗେସନ୍ (ULA) ମଡେଲ୍ ସମ୍ପର୍କରେ ମଧ୍ୟ ଉପଭୋକ୍ତାଙ୍କୁ ସୂଚନା ଦିଆଯିବ। ଅଭିଯାନରେ ‘ସୋଲାର ରଥ’ ଗ୍ରାମାଞ୍ଚଳ, ବ୍ୟବସାୟିକ ବଜାର ଓ ବିଭିନ୍ନ ପ୍ରମୁଖ ସର୍ବସାଧାରଣ ସ୍ଥାନ ପରିଦର୍ଶନ କରିବ। ଟିପିଏନ୍‌ଓଡିଏଲ୍‌ର ସଚେତନତା ଟିମ୍ ଉପଭୋକ୍ତାଙ୍କୁ ଆର୍ଥିକ ସହାୟତା, ସବ୍‌ସିଡି ବ୍ୟବସ୍ଥା ଏବଂ ଛାତ ଉପରେ ସୌର ବିଦ୍ୟୁତ୍ ପ୍ରଣାଳୀ ସ୍ଥାପନ ପାଇଁ ଆବେଦନ ପ୍ରକ୍ରିୟା ବିଷୟରେ ସିଧାସଳଖ ମାର୍ଗଦର୍ଶନ ପ୍ରଦାନ କରିବ।

ଟିପିଏନ୍‌ଓଡିଏଲ୍‌ର ପାଞ୍ଚଟି ଜିଲ୍ଲାର ସେବା ଅଞ୍ଚଳରେ ଛାତ ଉପରେ ସୌର ବିଦ୍ୟୁତ୍ ପ୍ରଣାଳୀ ସ୍ଥାପନ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି। ବର୍ତ୍ତମାନ ସୁଦ୍ଧା ମୋଟ ୫୧,୭୯୯ଟି ସ୍ଥାପନ ହୋଇଛି। ସେଥିମଧ୍ୟରେ ୧୮,୯୨୫ଟି ସ୍ଥାପନ ସହ ବାଲେଶ୍ୱର ଜିଲ୍ଲା ସର୍ବାଗ୍ରେ ରହିଛି। ଏହା ପଛକୁ ମୟୂରଭଞ୍ଜରେ ୧୧,୦୮୩, ଯାଜପୁରରେ ୯,୪୭୫, ଭଦ୍ରକରେ ୬,୫୭୩ ଏବଂ କେନ୍ଦୁଝରରେ ୫,୭୪୩ଟି ସ୍ଥାପନ ହୋଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର’ ଯୋଜନା ଅଧୀନରେ ଛାତ ଉପରେ ସୌର ବିଦ୍ୟୁତ୍ ପ୍ରଣାଳୀ ସ୍ଥାପନ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ଏହି ଯୋଜନାରେ ରାଜ୍ୟ ଦେଶରେ ସପ୍ତମ ସ୍ଥାନରେ ରହିଛି। ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଥିଲେ ଯେ, ୫୦ ହଜାରରୁ ଅଧିକ ରୁଫ୍‌ଟପ୍ ସୋଲାର ସ୍ଥାପନ ଟିପିଏନ୍‌ଓଡିଏଲ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରମାଣିତ କରୁଛି।ବାଲେଶ୍ୱରକୁ ସୌର ଶକ୍ତି ଗ୍ରହଣ କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ କରିବାରେ ଏହି ସଫଳତା ଗୁରୁତ୍ୱପୂର୍ଣ୍ଣ। ସେ ଲୋକମାନଙ୍କୁ ସରକାରୀ ସବ୍‌ସିଡିର ସୁଯୋଗ ନେବା, ବିଦ୍ୟୁତ୍ ଖର୍ଚ୍ଚ କମାଇବା ଏବଂ ପରିବେଶ ସୁରକ୍ଷାରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଥିଲେ।

ଟିପିଏନ୍‌ଓଡିଏଲ୍‌ର ସିଇଓ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଥିଲେ ଯେ, ୫୦ ହଜାର ରୁଫ୍‌ଟପ୍ ସୋଲାର ସ୍ଥାପନ ଅତିକ୍ରମ କରିବା ନବୀକରଣୀୟ ଶକ୍ତି ପ୍ରତି ଉପଭୋକ୍ତାଙ୍କ ବଢୁଥିବା ବିଶ୍ୱାସର ପ୍ରତିଫଳନ ଅଟେ। ‘ସୋଲାର ରଥ’ ଅଭିଯାନ ତୃଣମୂଳସ୍ତରରେ ଜନସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଉତ୍ତର ଓଡ଼ିଶାରେ ସ୍ୱଚ୍ଛ ଓ ସୁଲଭ ବିଦ୍ୟୁତ୍ ସେବାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବ ବୋଲି ସେ କହିଥିଲେ। ରୁଫ୍‌ଟପ୍ ସୋଲାର ଆବେଦନ ଓ ସ୍ଥାପନ ସମ୍ପର୍କିତ ସହାୟତା ପାଇଁ ଉପଭୋକ୍ତାମାନେ ନିଜ ନିକଟସ୍ଥ ବିଦ୍ୟୁତ୍ କାର୍ଯ୍ୟାଳୟରେ ଯୋଗାଯୋଗ କରିପାରିବେ। ଏଥିସହ ଟିପିଏନ୍‌ଓଡିଏଲ୍‌ର ଗ୍ରାହକ ସେବା ନମ୍ବର ୧୮୦୦-୩୪୫୬-୭୧୮ / ୧୯୧୨ରେ ମଧ୍ୟ ଯୋଗାଯୋଗ କରିହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.