ଦଶମ ଶ୍ରେଣୀ ହାଇ ଏଚିଭର ପରୀକ୍ଷା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ୧୩ଟି ବ୍ଲକ୍ ର ୧୬ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ହାଇ ଏଚିଭର୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛିl। ଏହି ପରୀକ୍ଷାରେ ୩୩୦ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଶିଶୁ ମନ୍ଦିରରୁ ମୋଟ୍ ୧୬୨୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଜିଲ୍ଲା ସାଧନ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ଓ ସମସ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସମସ୍ତ ପରୀକ୍ଷା କେନ୍ଦ୍ରଗୁଡିକ ପରିଦର୍ଶନ କରିଥିଲେ।

ପ୍ରକାଶ ଥାଉକି, କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଦଶମ ଶ୍ରେଣୀ ବାର୍ଷିକ ବୋର୍ଡ ପରୀକ୍ଷାରେ ସର୍ବୋତ୍ତମ ଫଳାଫଳ ଓ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ହାସଲ ପାଇଁ ସ୍ୱତନ୍ତ୍ର ଅଭିନବ କାର୍ଯ୍ୟକ୍ରମ ପ୍ରକାଶ ହାତକୁ ନିଆଯାଇଛି। ଚଳିତ ବର୍ଷ ପ୍ରକାଶ ୩.୦ ରେ ଜିଲ୍ଲାର ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ନେଇଁ ଜିଲ୍ଲା ସାଧନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ମାର୍ଗଦର୍ଶନ କରାଯିବ।

ଜିଲ୍ଲାରେ ଚଳିତ ବର୍ଷ ପାଇଁ ୨୦୦ ଜଣ ଛାତ୍ରଛାତ୍ରୀ ଏ-୧, ୧୬୦୦ ଛାତ୍ର ଛାତ୍ରୀ ଏ-୨, ସମସ୍ତ ଉଚ୍ଚ ବିଦ୍ୟାଳୟରେ ୧୦୦% ପାସ୍ ହାର ସଫଳତା ଓ ଶତ ପ୍ରତିଶତ ଉପସ୍ଥାନ ହାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଗତ ବର୍ଷ ମଧ୍ୟ ଆୟୋଜିତ ଏହି କାର୍ଯ୍ୟକ୍ରମ ଦ୍ୱାରା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଉତ୍ତମ ଫଳାଫଳ ମିଳିଥିଲା। ଜିଲ୍ଲା ଶିକ୍ଷା ବିଭାଗର ଏହି ପ୍ରୟାସକୁ ବୁଦ୍ଧିଜୀବି, ଶିକ୍ଷାବିତ୍ ଓ ଅଭିଭାବକ ମାନଙ୍କ ମହଲରେ ପ୍ରଶଂସା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.