ବରଗାଁ ଫାଟକ ନିକଟରେ ଫାଟିଲା ବେଦାନ୍ତର ପାଇପ ଲାଇନ, ମାଝି ପଡ଼ା ଜଳମୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବରଗାଁ ଫାଟକ ନିକଟରେ ସୋମବାର ରାତି ପ୍ରାୟ ୮.୩୦ ସମୟରେ ବେଦାନ୍ତର ପାଇପ ଲାଇନ ଫାଟିଯିବା ଫଳରେ ମାଝୀ ପଡ଼ା ଜଳମୟ ହୋଇଯାଇଛି। ଦୁଇଟି ସ୍ଥାନରେ ପାଇପ ଫାଟି ପ୍ରବଳ ଜଳ ନିଷ୍କାସନ ହୋଇ ଘରମାନଙ୍କରେ  ପାଣି ପସିଯିବା ଫଳରେ ଜୀବନଯାତ୍ରା ବ୍ୟାହତ ହୋଇଛି। ମାଝୀ ପଡ଼ା ରୁପ୍ରାରୋଡ ରେଳ ଷ୍ଟେସନ ପାଖରେ ରହିଛି। ଏହା ଏକ ଜନବହୁଳ ଅଞ୍ଚଳ ହୋଇଥିବାବେଳେ ରାତିରେ ପାଇପ ଫାଟି ବସ୍ତି ଜଳମୟ ହେବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସଚେତନ ନାଗରିକମାନେ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ତୁରନ୍ତ ଏହି ସମସ୍ୟାର ସମାଧାନ ଦାବି କରିଛନ୍ତି ସ୍ଥାନୀୟ ମହିଳା। ପ୍ରାପ୍ତ ସୂଚନା ଅନୁସାରେ କେସିଙ୍ଗା ତେଲନଦୀ ଠାରୁ ପାଇପ୍ ଲାଇନ ଯୋଗେ ରୁପ୍ରାରୋଡ-ନର୍ଲା ଦେଇ ଲାଞ୍ଜିଗଡ଼ର ବେଦାନ୍ତ କମ୍ପାନୀକୁ ପାଣି ଯାଉଛି। ଦୀର୍ଘଦିନ ଧରି ପାଣି ପାଇପ ଲାଇନ ମରାମତି ହୋଇ ନଥିବାରୁ ଏହା ମଝିରେ ମଝିରେ ଫାଟି ଯାଉଛି। ତେଣୁ ସାଧାରଣ ଜନତା ଅନେକ ସମୟରେ ହଇରାଣ ହରକତ ହେଉଛନ୍ତି। ତେଣୁ ବେଦାନ୍ତ କତୃପକ୍ଷ ଏଦିଗରେ ଧ୍ୟାନ ଦେବା ଜରୁରୀ ବୋଲି ସଚେତନ ନାଗରିକମାନେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.