ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵର ଠାରେ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ କଳିଙ୍ଗାୟନ ତୌର୍ୟତ୍ରିକମ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି ୧୫ତମ ଭରତ ମୁନି ସମ୍ମାନ ସମାରୋହ। ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜାତୀୟ କଳାକାର, ବୈଜ୍ଞାନିକ, ନିର୍ଦ୍ଦେଶକ ସୂର୍ଯ୍ୟ କୃଷ୍ଣମୂର୍ତ୍ତିଙ୍କୁ ୧୫ତମ ଭରତ ମୁନି ସମ୍ମାନରେ ସମ୍ମାନିତ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିତେନ୍ଦ୍ର ନାଥ ମିଶ୍ର (ଚେୟାରମେନ) ପୂର୍ବତନ ରାଷ୍ଟ୍ରଦୂତ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଇଟାଲୀ, ଓଡ଼ିଶୀ ଏବଂ ଛଉ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ସିଏଚ ଅଜୟ ପ୍ରଥମେ କୁଚିପୁଡି ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ସୂର୍ଯ୍ୟମଣି ରମେଶ ଦାସ ଓ ଡ଼ଃ ସାରଦା ପ୍ରସନ୍ନ ଦାସ ଯୁଗଲବନ୍ଦି ବାଦ୍ୟଯନ୍ତ୍ର ପରିବେଷଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ନାଟ୍ୟଶାସ୍ତ୍ର ଭରତ ମୁନି ସମ୍ମାନ ଭୁବନେଶ୍ୱରସ୍ଥିତ କଳିଙ୍ଗାୟନ ତୌର୍ଯ୍ୟାତ୍ରିକମ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଥିବା ଏକ ମର୍ଯ୍ୟାଦାଜନକ ସମ୍ମାନ ଅଟେ। ପ୍ରତି ବର୍ଷ କଳା ଓ ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଏ। ଏହି ସମ୍ମାନ ପ୍ରଦାନ ପ୍ରଥା ମସିହା ୨୦୦୮ରୁ ଆରମ୍ଭ ହୋଇଥିଲା। ନାଟ୍ୟଶାସ୍ତ୍ରୀ ଭରତ ମୁନିଙ୍କ ସ୍ମରଣାର୍ଥେ ଏହି ସମ୍ମାନ ଉତ୍ସର୍ଗୀକୃତ।