ବେଦାନ୍ତ କଳିଙ୍ଗ ଲାନସର୍ସର ଜର୍ସି ସହ ଆନ୍ଥେମ ଓ ମାସ୍କଟ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଡିସେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ଇଣ୍ଡିଆ ଲିଗ୍‌କୁ ନଜରରେ ରଖି ଓଡ଼ିଶା ଭିତ୍ତିକ ଫ୍ରାଞ୍ଚାଇଜି ବେଦାନ୍ତ କଳିଙ୍ଗ ଲାନସର୍ସ ପକ୍ଷରୁ ଏହାର ଜର୍ସି, ଆନ୍ଥେମ ଏବଂ ମାସ୍କଟ୍‌କୁ ଏକ ଗ୍ରାଣ୍ଡ୍ ଇଭେଣ୍ଟରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ନୂଆ ଜର୍ସି, ମାସ୍କଟକୁ ଉନ୍ମୋଚନ କରିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବେଦାନ୍ତ ଆଲମିନିୟମର ସିଇଓ ସୁନିଲ ଗୁପ୍ତା, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପର ପ୍ରମୁଖ ସଚିବ ଭାସ୍କର ଶର୍ମା। ଏଥିରେ ବେଦାନ୍ତ କଳିଙ୍ଗ ଲାନ୍ସର ଦଳକୁ ପ୍ରତିନିଧିତ୍ଵ କରୁଥିବା ଭାରତୀୟ ଖେଳଳୀମାନେ ଉପସ୍ଥିତ ଥିଲେ। ଏହି ଜର୍ସିରେ ନୀଳ ଏବଂ ସବୁଜ ରଙ୍ଗର ମିଶ୍ରଣ ରହିଥିବା ବେଳେ ଏହା କମଳା ଏବଂ ଧଳା ରଙ୍ଗକୁ ମଧ୍ୟ ସ୍ଥାନିତ କରିଛି। ଜର୍ସିରେ ଓଡ଼ିଶାର ଇତିହାସ, ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ, ଭୂଗୋଳ ସହ ଭବିଷ୍ୟତର ଆକାଂକ୍ଷା ପ୍ରତିଫଳିତ ହେଉଛି। ରାଜ୍ୟର ପ୍ରାକୃତିକ ଶୋଭାରାଜି ଏବଂ ପ୍ରଗତିକୁ ଏହା ପ୍ରଦର୍ଶିତ କରୁଛି। କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସମ୍ମାନ ଜଣାଇ ଏଥିରେ ହାର୍ଟ ନିକଟରେ ରହିଛି କୋଣାର୍କ ଚକ୍ର। ଏହା ସହ ରାଜ୍ୟର ପାରମ୍ପରିକ କଳାକୁ ମଧ୍ୟ ଏଥିରେ ସେଲିବ୍ରେଟ କରାଯାଇଛି। ଉତ୍ତର ଓଡ଼ିଶାର ଛଉ ନୃତ୍ୟ, ଦକ୍ଷିଣ ଓଡ଼ିଶାର ଘୁମୁରା ଡ୍ୟାନ୍ସ ପ୍ୟାଟର୍ନ ସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ ବୟନ କଳା ସମ୍ବଲପୁରୀ ଡିଜାଇନର ଝଲକ ଏଥିରେ ଦେଖିବାକୁ ମିଳିବ। ଡିଜାଇନରେ ଏହି ଅତ୍ୟାଧୁନିକ ଦିଗ ଗୁଡିକ ପ୍ରଗତି ପ୍ରତି ରହିଥିବା ବେଦାନ୍ତର ପ୍ରତିବଦ୍ଧତାକୁ ଦୋହରାଉଛି। ତଳ ଭାଗରେ ପତ୍ରାକୃତି ଢ଼େଉ ଆକୃତି ବେଦାନ୍ତ ଲୋଗୋରୁ ଅନୁପ୍ରାଣିତ ହୋଇ ସ୍ଥାନିତ କରାଯାଇଛି। ଏହା ଅଭିବୃଦ୍ଧି, ଇତିହାସ, କଳା ଏବଂ ନିରନ୍ତରତାର ମିଶ୍ରଣକୁ ଦର୍ଶାଉଛି। ଜର୍ସିର ଉପର ଭାଗରେ ତରଙ୍ଗାୟିତ ମହାନଦୀ ସ୍ଥାନିତ କରାଯାଇଛି। ସେହିଭଳି ହୀରାକୁଦ ଡ୍ୟାମ ସହ ଡେଲଟା ଭଳି ଓଡ଼ିଶାର ଭୌଗୋଳିକ ଜୀବନ ଧାରା ଏବଂ ସମୁଦ୍ର ସହ ସମ୍ପର୍କକୁ ଦର୍ଶାଉଛି। ଟିମ୍‌ର ମାସ୍କଟ ଜିତ୍ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହୋଇଛି। କଳିଙ୍ଗ ଲ୍ୟାନସର୍ସର ଆନ୍ଥେମ ଜଜବା କି ଜିତ୍ କଠିନ ପରିଶ୍ରମ ଏବଂ ଅଧ୍ୟବସାୟକୁ ପ୍ରଦର୍ଶନ କରୁଛି। ଏହାକୁ ଓଡ଼ିଆର ଋତୁରାଜ ମହାନ୍ତି ଗାଇଛନ୍ତି। କାର୍ଯ୍ୟକ୍ରମରେ ବେଦାନ୍ତର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, କଳିଙ୍ଗ ଲାନସର୍ସର ଜର୍ସିକୁ ଉନ୍ମୋଚନ କରି ଅତ୍ୟନ୍ତ ଖୁସି। ହକି ଓଡ଼ିଶାରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଫ୍ରାଞ୍ଚାଇଜି ଭାବେ ଏହାର ପ୍ରୋତ୍ସାହନ ଆମ ପାଇଁ ଗର୍ବର ବିଷୟ। ଜର୍ସି ରାଜ୍ୟର କଳା, ସଂସ୍କୃତି ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଏବଂ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଲାଗି ବେଦାନ୍ତ ନିରନ୍ତର କ୍ରୀଡା ଭିତ୍ତିଭୂମିରେ ନିବେଶ କରୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.