ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଗତକାଲି ବିଳମ୍ବିତ ରାତିରେ ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ତୁରେଇକେଲା ଥାନା ତୁରେଇକେଲା ଗାଁର ୮୬ ବର୍ଷୀୟ ଗୁରୁଦେବ ଦୀପ ବୋଲି ଜଣାପଡିଛି। ୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା। ୱାରେଣ୍ଟ ବଳରେ ତୁରକେଲା ପୋଲିସ ଗତ ୧୯ ତାରିଖ ଦିନ ଗୁରୁଦେବକୁ ଗିରଫ କରି କୋର୍ଟଚାଳଣ କରିଥିଲା। ୧୯ ତାରିଖରୁ ବଲାଙ୍ଗିର ଜେଲରେ ଥିବା ଗୁରୁଦେବ ଗତକାଲି ରାତିରେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁଦେବଙ୍କ ମୃତ୍ୟୁ ହୋଇଛି। ଶବକୁ ବ୍ୟବଚ୍ଛେଦ ପାଇଁ ପୋଷ୍ଟମୋର୍ଟମ ୱାର୍ଡରେ ରଖାଯାଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ସୂଚନା ରହିଛି।