ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ୫୩ତମ ପ୍ରତିଷ୍ଠା ଦିବସ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ଆଇନ ଓ ଅବକରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ, ଏକାମ୍ର ବିଧାୟକ ବାବୁ ସିଂ, ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ସାମ୍ବାଦିକ ବିନ୍ଦୁ ମହାନନ୍ଦଙ୍କୁ ଚଳିତ ବର୍ଷର ‘ଶ୍ରେଷ୍ଠ ସାମ୍ବାଦିକ’ ଭାବରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି। ଏଥିରେ ରାଜ୍ୟର ୩୦ଗୋଟି ଜିଲ୍ଲାର କୋଣ ଅନୁକୋଣରୁ ଓୟୁଜେର କର୍ମକର୍ତ୍ତା ଓ ସାମ୍ୱାଦିକମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରକାରର ସମସ୍ୟା ଓ ଉନ୍ନତି ମୁଳକ କାର୍ଯ୍ୟ ବିଷୟରେ ଶ୍ରୀ ମହାନନ୍ଦଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ଉପରେ ପଚାରି ବୁଝିଥିଲେ। ଏହି ପୁରସ୍କାର ପାଇବା ପରେ ଗୋଲାମୁଣ୍ଡା ବ୍ଲକବାସୀଙ୍କ ସମେତ କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରୁ ଶ୍ରୀ ମହାନନ୍ଦଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି।