କଳାହାଣ୍ଡି ଜିଲ୍ଲା ସ୍ତରୀୟ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଶାନ୍ତ କୁମାର ଚୋପଦାରଙ୍କ ତତ୍ତ୍ଵାବଧାନରେ ତଥା ବାଳିକା ଶିକ୍ଷା ସଂଯୋଜିକା ଲିପିକା ଅପରାଜିତାଙ୍କ ସଂଯୋଜନାରେ ପ୍ରଶିକ୍ଷଣ ଶିବିରଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା।

ଭବାନୀପାଟଣା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଶିବିରରେ ସାଧନକର୍ମୀ ମମତା ଶବର, ରୋଜି ନାଏକ, ନଳିନୀ ମୁଣ୍ଡଛିନା, ନଗମାରାଣୀ ପ୍ରଧାନ ଓ ଧରିତ୍ରୀ ପ୍ରଧାନ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ  ଜିଲ୍ଲାର ୧୩ଗୋଟି ବ୍ଲକରୁ ୧୦୦ ଜଣ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହି ପ୍ରଶିକ୍ଷଣ ମାଧ୍ୟମରେ ସମସ୍ତ ବାଳିକାଙ୍କୁ ନିଜ ସୁରକ୍ଷା ନିଜେ କରିବା ଦିଗରେ ସକ୍ଷମ କରାଯିବ। ଜୁଡୋ, କରାଟେ, ତାଇକୋଣ୍ଡୋ, କିକ୍ ବକ୍ସିଂ ଆଦି ମାର୍ଶଲ ଆର୍ଟର ବିଭିନ୍ନ କଳା ମାଧ୍ୟମରେ ସେମାନେ ଆତ୍ମରକ୍ଷା କୌଶଳ ଶିଖିବେ। ପ୍ରଶିକ୍ଷଣ ନେଇଥିବା ଶିକ୍ଷୟତ୍ରୀମାନେ ଜିଲ୍ଲାର ସମସ୍ତ କିଶୋରୀ ବାଳିକାଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବେ ବୋଲି ସଂଯୋଜିକା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.