ଜନସେବା ଦିବସ ଅବସରରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଦ୍ୱାରା ସ୍ଥାନୀୟ ନୂତନ ଟାଉନ ହଲ ଠାରେ ଜନସେବା ଦିବସ ଅବସରରେ ୮୦ ବର୍ଷରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀ ଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଯୋଗଦାନ କରି ଏହି ଯୋଜନା ଦ୍ୱାରା ହିତାଧିକାରୀଙ୍କ ସାମଗ୍ରିକ ବିକାଶ ହେବା ସହିତ ସେମାନଙ୍କ ଜୀବନ ଧାରଣ କ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ବ୍ୟକ୍ତବ୍ୟରେ ଯୋଜନାର କାର୍ଯ୍ୟକାରିତା ଦ୍ୱାରା ସମସ୍ତ ହିତାଧିକାରୀଙ୍କ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ନିଶ୍ଚିତ ସୁଧାର ହୋଇପାରିବ ବୋଲି ମତବ୍ୟକ୍ତ କରି ଯୋଜନାର ପ୍ରଶଂସା କରିଥିଲେ। ଜିଲ୍ଲାରେ ୪୨୭୯ ଜଣ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କର ଏବଂ ୧୭୭୧ ଜଣ ୮୦ ପ୍ରତିଶତ ବା ତଦୁର୍ଧ୍ଵ ଭିନ୍ନକ୍ଷମ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ଏଣୁ ଏଣିକି ୧୨୦୦ /- ଟଙ୍କା ପରିବର୍ତ୍ତେ ବର୍ଦ୍ଧିତଭତ୍ତା ୩୫୦୦/- ଟଙ୍କା ପାଇବେ। ଆଜି ଅନୁଷ୍ଠିତ ଯୋଜନାର ଶୁଭାରମ୍ଭ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ୧୦୫ ଜଣ ହିତାଧିକାରୀ, ୮୦ ବର୍ଷରୁ ଉର୍ଦ୍ଧ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଏବଂ ୮୦ ପ୍ରତିଶତ ବା ତଦୁର୍ଧ୍ଵ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଅତିଥିବୃନ୍ଦ ବର୍ଦ୍ଧିତ ଭତ୍ତା ୩୫୦୦/- ଟଙ୍କାର (ନଗଦ ଓ ଡେମୋ ଚେକ୍) ବିତରଣ କରିଥିଲେ।

କାର୍ଯ୍ୟକ୍ରମରେ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଅଶ୍ୱିନୀ ମେହେର, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ପ୍ରଦୀପ କୁମାର ଗୁରୁ, ଉପଜିଲ୍ଲାପାଳ ସୋନପୁର ଡଃ ସୌମ୍ୟା ରୁପା ରଥ, ବିଜେପି ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରି ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବିତରଣ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁର୍ଗା ପ୍ରସାଦ ମହାପାତ୍ର ସଂଯୋଜନା କରିଥିବା ବେଳେ ବିଏସଏସଓ ସୋନପୁର ଯୁଧିଷ୍ଠିର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.