ଫକୀରମୋହନ ବିଶ୍ୱବିଦ୍ୟାଳୟ ପୋଷ୍ୟଗ୍ରାମରେ ବଣ୍ଟନ କଲା ଶୀତ ବସ୍ତ୍ର ଓ କମ୍ବଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ନିଜର ସାମାଜିକ ଦାୟିତ୍ବ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି କ୍ରମରେ ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ନୂଆପାଢ଼ୀ ସହ ସ୍ଥାନୀୟ ଫୁଲକିଆରି ସାହି, ମଖାପଦା ଗ୍ରାମରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ଗ୍ରାମବାସୀଙ୍କୁ ଶୀତବସ୍ତ୍ର ସହ କମ୍ବଳ ବଣ୍ଟନ କରାଯାଇଛି।

ପ୍ରତିବର୍ଷ ଭଳି ଚଳିତବର୍ଷ ଶୀତଋତୁରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକ କର୍ମଚାରୀମାନଙ୍କ ଦ୍ବାରା କମ୍ବଳ ଓ ଶୀତ ବସ୍ତ୍ର ସଂଗୃହୀତ ହୋଇ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଏହି ୩ଟି ଗ୍ରାମର ଜନସାଧାରଣଙ୍କୁ ଏହା ପ୍ରଦାନ କରାଯାଇଛି।
ଏହି ବଣ୍ଟନ କାର୍ଯ୍ୟକ୍ରମ ଦୁଇଟି ପର୍ଯାୟରେ ଆୟୋଜିତ ହୋଇଥିଲା।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, କୁଳସଚିବ କୁକୁମୀନା ଦାସ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡ଼କ୍ଟର ନିହାର ରଞ୍ଜନ ରାଉତ, ପ୍ରଫେସର ସୂର୍ଯ୍ୟେନ୍ଦୁ ଦେ, ଡ଼କ୍ଟର ଜଗନ୍ନାଥ ବେହେରା, ଡ଼କ୍ଟର ଗ୍ରେସ ବାହାଲେନ ମୁଣ୍ଡ ଓ ଶ୍ରୀ ଉପେନ୍ଦ୍ର ପ୍ରସାଦ ଜେନା, ଶ୍ରୀ ପ୍ରଦୀପ କୁମାର ଗାଣ ଙ୍କ ପ୍ରତକ୍ଷ୍ଯ ତତ୍ତ୍ବାବଧାନରେ ଏହି ଜନସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ଦ୍ବାରା ଗ୍ରାମବାସୀଙ୍କୁ ଏକତ୍ରୀତ କରାଯାଇ କମ୍ବଳ ଓ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା।

ପ୍ରକାଶଯୋଗ୍ୟ, ବିଶ୍ୱବିଦ୍ୟାଳୟରେ ‘ଅଛି ଯଦି ଦିଅ : ନାହିଁ ଯଦି ନିଅ’ ନିୟମ ମୁତାବକ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ଦ୍ବାରା ପିନ୍ଧିବା ଯୋଗ୍ଯ ବସ୍ତ୍ର ଗୁଡିକୁ ସଂଗ୍ରହ କରାଯାଇ ଆବଶ୍ୟକ ସ୍ଥଳେ ବଣ୍ଟନ କରାଯାଇଥାଏ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଏହି ଅଭିନବ ପ୍ରୟାସ ବିଗତ କିଛିବର୍ଷ ଠାରୁ ସମସ୍ତଙ୍କ କର୍ତ୍ତବ୍ଯ ହେବା ସହ ପ୍ରେରଣାଦାୟକ ମଧ୍ଯ ହୋଇପାରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.