ଆଇଏସଆରଡି: “ସଖୀ ୱାନ ଷ୍ଟପ ସେଣ୍ଟର” ତରଫରୁ ରାଷ୍ଟ୍ରୀୟ ବାଳିକା ଦିବସ ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଆଇ:ଏସ:ଆର:ଡି: “ସଖୀ ୱାନ ଷ୍ଟପ ସେଣ୍ଟର” , ଗଜପତି ତରଫରୁ ରାଷ୍ଟ୍ରୀୟ ବାଳିକା ଦିବସ ସପ୍ତାହ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ କେରାଣ୍ଡି ପଞ୍ଚାଯତ କାର୍ଯ୍ଯାଳୟ ଠାରେ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇ:ଏସ:ଆର:ଡି: “ସଖୀ ୱାନ ଷ୍ଟପ ସେଣ୍ଟର” ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିବା ବେଳେ ଆଇ:ଏସ:ଆର:ଡି: ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ଏହି କାର୍ଯକ୍ରମରେ ଅଧ୍ୟକ୍ଷତା କରିବା ସହ ମଞ୍ଚ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ “ଜନ ଗଣ ମନ” ଗାନ କରା ଯାଇଥିଲା |

ସମ୍ମାନୀତ ଅତିଥି ଭାବରେ ମହିଳା ସୂରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ପ୍ରମୁଖ ଯୋଗ ଦେଇ ଏହି ଦିବସ ପାଳନ ର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ବିବରଣୀ ପ୍ରଦାନ କରିବା ସହ ଶିକ୍ଷା କ୍ଷେତ୍ରରେ ବାଳିକା ମାନେ ଆଗକୁ ଗଲେ ଯାଇ ରାଷ୍ଟ୍ର ଆଗକୁ ଯାଇପାରିବ ବୋଲି କହି ବହୁ ଉଦାହରଣ ମାଧ୍ୟମରେ ବୁଝାଇଥିଲେ | ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ଗୁଣନିଧି ନାୟକ ଯୋଗ ଦେଇ ନାରୀ ସମାଜ ଆଗକୁ ଯିବାକୁ ହେଲେ ଶିକ୍ଷା ର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୁର୍ଣ ବୋଲି ବୁଝାଇବା ସହ ବିଭିନ୍ନ ଉଦାହରଣ ମାଧ୍ୟମରେ କହିଥିଲେ ଯେ , ବାଳିକା ମାନଙ୍କ ଶିକ୍ଷା , ସ୍ୱାସ୍ଥ୍ୟ ଏବଂ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତଙ୍କର ପ୍ରଚେଷ୍ଠା ରହିବା ଆବଶ୍ୟକ ବୋଲି କହିବା ସହ ଗୋଟିଏ ପୁଅ ଶିକ୍ଷିତ ହେଲେ ଜଣେ ବ୍ୟକ୍ତି ଶିକ୍ଷିତ ହୋଇପାରିବ , କିନ୍ତୁ ଜଣେ ନାରୀ ଶିକ୍ଷିତ ହେଲେ ପୁରା ପରିବାର ଶିକ୍ଷିତ ହୋଇପାରିବ ବୋଲି କବିତା ଏବଂ ଗପ ମାଧ୍ୟମରେ ବୁଝାଇଥିଲେ |


ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଯୋଗଦେଇ “ ଶିକ୍ଷିତ ନାରୀ ହିଁ ଦେଶର ଶିରୀ” ବୋଲି ବୁଝାଇବା ସହ ଏହି ଜିଲ୍ଲାରେ ମହିଳା ଓ ବାଳିକା ମାନଙ୍କ ପ୍ରତି ଘଟୁଥିବା ହିଂସା ବିଷୟରେ ଅବଗତ କରାଇ ତାହାକୁ କିପରି ରୋକାଯାଇ ପାରିବ ସେହି ବିଷୟରେ ଅବଗତ କାରାଇଥିଲେ | ଏହି ଦିବସ ପାଳନ ଅବସରରେ କେରାଣ୍ଡି ଗ୍ରାମ ପଞ୍ଚାୟତକୁ ମହିଳା ହିଂସା ମୁକ୍ତ ଗ୍ରାମ ପଞ୍ଚାୟତ କରିବା ଉଦ୍ଦେଶ୍ୟ ନେଇ ଏକ ଶପଥପାଠ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା | ଅନ୍ୟପକ୍ଷରେ , କେରାଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ ଓୟା ଉଚ୍ଚ ବିଦ୍ୟାଳୟ ଏବଂ ଓୟା ଅଙ୍ଗନବାଡି କେନ୍ଦ୍ର ଠାରେ କିଶୋରୀ ବାଳିକା ମାନଙ୍କୁ ନେଇ ଗତ ୧୮ ତାରିଖ ଦିନ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ସଙ୍ଗୀତ ଏବଂ ବକ୍ତୃତା ପ୍ରତିଯୋଗୀତା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଆଜିର ଏହି ଦିବସରେ ପୁରସ୍କାର ବଣ୍ଟନ କରା ଯାଇଥିଲା ।
ଆଜିର ଏହି ରାଷ୍ଟ୍ରୀୟ ବାଳିକା ଦିବସ ସପ୍ତାହ ପାଳନ ରେ ଜିଲ୍ଲାର ସମସ୍ତ ଅଧିକାରୀ , ରାୟଗଡ଼ ବ୍ଲକ ର ବ୍ଲକ ଚେୟାରମ୍ଯାନ ଶ୍ରୀମତୀ ପୁର୍ଣବାସୀ ନାୟକ , ବିଡ଼ିଓଙ୍କ ସମେତ ସମସ୍ତ ବ୍ଲକ ଅଧିକାରୀ ଏବଂ କେରାଣ୍ଡି ପଞ୍ଚାୟତର ସମସ୍ତ ଅଧିକାରୀ , ଏସଏଚଜି: ମହିଳା , ଆଶା ଓ ଅଙ୍ଗନବାଡି କର୍ମୀ , ସିଆରପି: , ଏମବିକେ: , କେରାଣ୍ଡି ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମବାସୀ , କିଶୋରୀ ବାଳିକା ତଥା ଆଇଏସଆରଡ଼ି ୱାନ ଷ୍ଟପ କେନ୍ଦ୍ରର ସୁନିତା ବେହେରା , ମୋହିନୀ ପ୍ରଧାନ , ମଧୁସ୍ମିତା ପାଢୀ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି ସୁରେଶ କୁମାର , ନିରୂପମା ରାଉଳ , ଏନ: ଉଷା , ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ | ପରିଶେଷରେ ଆଇଏସଆରଡି: ସଖୀ ୱାନ ଷ୍ଟପ ସେଣ୍ଟର ର ଆଇନ ପରାମର୍ଶ ଦାତା ଶ୍ରୀ ନାଗେଶ୍ଵର ଚୌଧୁରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.