ଫକୀରମୋହନ ବିଶ୍ବବିଦ୍ୟାଳୟରେ ସଂସ୍କୃତି ମହୋତ୍ସବ ‘ଉନୁରୁମ୍’ର ଦ୍ବିତୀୟ ଦିବସ : ଜନଜାତି ପ୍ରସଙ୍ଗରେ କବିତା ପାଠ କଲେ ବାଲେଶ୍ଵରର କବିଗଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆନ୍ତର୍ଜାତିକ ‘ଉନୁରୁମ’ ଉତ୍ସବର ଦ୍ୱିତୀୟ ଦିନର ପ୍ରମୁଖ କାର୍ଯ୍ୟକ୍ରମ ‘କବିତା ଉତ୍ସବ’ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ବ କରିଥିଲେ।

ବାଲେଶ୍ବର ତଥା ସ୍ଥାନୀୟ ଅଞ୍ଚଳର ଆମନ୍ତ୍ରିତ ୧୭ ଜଣ ସୁନାମଧନ୍ଯ କବି ଏଥିରେ ଅଂଶଗ୍ରହଣ କରିବା ସହିତ ଜନଜାତି ପ୍ରସଙ୍ଗରେ ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ। ନିମନ୍ତ୍ରିତ କବିଙ୍କ ମଧ୍ଯରେ କୃଷ୍ଣ କୁମାର ମହାନ୍ତି, ଅଭୟ ଦାସ, କାଳିପଦ ପଣ୍ଡା, କଲ୍ୟାଣୀ ନନ୍ଦ, ଦେବଯାନୀ ଦାସ, ପ୍ରଦୀପ୍ତ ମିଶ୍ର, ବିମଳ ଜେନା, ବଂଶୀଧର ଚୌଧୁରୀ, ମନସ୍ବିନୀ ଦେବୀ, ଯଶୋଧାରା ଦାସ, ରତ୍ନାକର ସିଂ, ରାଧାରଂଜନ ପଟ୍ଟନାୟକ, ଶୁଭେନ୍ଦୁ ଦାସ, ଶ୍ରୀଦେବ, ସମରେନ୍ଦ୍ର ନାଥ ମହାପାତ୍ର, ହରିଶ୍ଚନ୍ଦ୍ର ବେହେରା, କାଳୀପଦ ପଣ୍ଡା ଓ ନିରଞ୍ଜନ ଖୁଣ୍ଟିଆ ପ୍ରଭୃତିଙ୍କ ସ୍ବରଚିତ କବିତା ଆବୃତ୍ତିରେ ଶ୍ରୋତାମହଲ ମନ୍ତ୍ରମୁଗ୍ଧ ହୋଇଥିଲେ। କବିତା ଉତ୍ସବ ଶେଷରେ କବିଗଣଙ୍କୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉପାୟନ ଓ ସ୍ମାରକୀ ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି କବିତା ପାଠରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ଯ କବିତା ପାଠର ସୁଯୋଗ ପାଇଥିଲେ। ପଠିତ ସମସ୍ତ କବିତା ମୁଖ୍ଯତଃ ଆଦିବାସୀ ଚିନ୍ତାଧାରା, ସେମାନଙ୍କ ଜୀବନଶୈଳୀ ଓ ଲୋକକଥା ଉପରେ ଆଧାରିତ ହୋଇଥିଲା।

ଏହି ଅବସରରେ କୁଳପତି ପ୍ରଫେସର ତ୍ରିପାଠୀ, ପ୍ରଫେସର ଦେବାଶିଷ ପାତ୍ର ଓ ଅଧ୍ୟାପକମାନଙ୍କ ନିଜ ରଚିତ କବିତାମାନ ପାଠ କରିଥିଲେ। ସମଗ୍ର କବିତା ଆସରକୁ ବବୁଲୁ ପଧାନ ଓ ସସ୍ମିତା ବେହେରା ସଂଯୋଜନା କରିଥିଲେ। ଏଥିସହ ଡାଏନା ମହାପାତ୍ର ଓ ସାଥୀଙ୍କ ଦ୍ବାରା କଳା ପ୍ରଦର୍ଶନ ହୋଇଥିଲା।ସଂଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଋଷିଆର ନୃତ୍ଯ ଶିଳ୍ପୀ ଶ୍ବେତାଲୀନା ଗଡଲୀନାଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, ପଶ୍ଚିମବଙ୍ଗର କଳାକାରଙ୍କ ଦ୍ବାରା ମଣିପୁରୀ ନୃତ୍ଯ, ଆସାମର ରଭା ହଚଂଙ୍ଗା ନୃତ୍ଯ, ଫକୀରମୋହନ ବିଶ୍ବବିଦ୍ୟାଳୟ ଦଳ ଦ୍ବାରା ସାନ୍ତାଳୀ , ନିଳଗିରି ଅଞ୍ଚଳର କଳାକାର ମୁଣ୍ଡାରୀ ନୃତ୍ଯ, କେନ୍ଦ୍ରାପଡାର କଳାକାରଙ୍କ ଢେମସା ନୃତ୍ଯ ପ୍ରମୁଖ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।

ଉନୁରୁମ ଉତ୍ସବରେ ବିଶ୍ବବିଦ୍ୟାଳୟର ଏମବିଏ ଓ ପି.ଏମ.ଆଇ.ଆର ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ବେଶ୍ ଆଦୃତ ଲାଭ କରିଛି। ୩୧ ତାରିଖ ଏହି ଆନ୍ତର୍ଜାତିକ ଉତ୍ସବର ଶେଷ ଦିନ, ଏଣୁ ବିଶ୍ବବିଦ୍ୟାଳୟର ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଏହି ଉତ୍ସବରେ ସାମିଲ ହେବା ନେଇ ଅନୁରୋଧ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.