୧୪ରୁ ଜୁନାଗଡ଼ ମହୋତ୍ସବ, ୩ ଦିନ ଝଲସିବ କଳାହାଣ୍ଡିର ପୂରାତନ ରାଜଧାନୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଆସନ୍ତା ୧୪ ତାରିଖରୁ ତିନିଦିନିଆ ଜୁନାଗଡ଼ ମହୋତ୍ସବର ଆୟୋଜିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଳାହାଣ୍ଡି ରାଜ୍ୟର ପୂରାତନ ରାଜଧାନୀ ‘ଜୁନାଗଡ଼’ର ଐତିହ୍ୟ, ସଂସ୍କୃତି, ପରମ୍ପରା, ଲୋକନୃତ୍ୟ, ଲୋକବାଦ୍ୟ ଓ ସଙ୍ଗୀତର ଅପୂର୍ବ ସମାବେଶରେ ଦୁଲୁକି ଉଠିବ ଲଙ୍କେଶ୍ବରୀ ମଞ୍ଚ। ଆସନ୍ତା ଫେବୃଆରି ୧୪, ୧୫ ଓ ୧୬ ତାରିଖ ତିନିଦିନ ଧରି ମହୋତ୍ସବ ସ୍ଥାନୀୟ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ୩ ଦିନ ଧରି ଜୁନାଗଡ଼ ସହର ଝଲସି ଉଠିବା ସହ ମା’ଲଙ୍କେଶ୍ବରୀ ମଞ୍ଚ ଓ ଭୈରବ ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ। ଏଥିରେ ବିଭିନ୍ନ ରାଜ୍ୟର ବଛା ବଛା ସାଂସ୍କୃତିକ ଦଳ ଯୋଗଦେବେ। ଏହି ମହୋତ୍ସବ ଉପଲକ୍ଷେ ମହିଳା ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହାଛଡ଼ା କବିତା ପାଠ, କ୍ରିକେଟ, ଫୁଟ୍‌ବଲ୍‌ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିବା ମହୋତ୍ସବ କମିଟି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ନାଏକ, ସହ ଅଧ୍ୟକ୍ଷ ଲଳିତ ଅଗ୍ରୱାଲ, ସମ୍ପାଦକ ହିମାଂଶୁ ଶେଖର ବରାଡ଼ ସୂଚନା ଦେଇଛନ୍ତି। ଉପଦେଷ୍ଟା ଭାବେ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୂର୍ବ ବିଧାୟକ ଗୋବର୍ଦ୍ଧନ ଦାସ, କୋର କମିଟି ସଦସ୍ୟ ଭାବେ ଭାରପ୍ରାପ୍ତ ନଗରପାଳ ହିମାଦ୍ରି ନାଏକ, ଈଶ୍ବର ଚନ୍ଦ୍ର ପୂଝାରୀ,  ଅଶୋକ ପଟ୍ଟନାୟକ, ସରୋଜ ପଣ୍ଡା, ଉଦ୍ଧବ ସାହୁ, ବିଘ୍ନରାଜ ବରାଡ଼ ପ୍ରମୁଖ ରହିଛନ୍ତି। ପ୍ରଚାର ପ୍ରସାର କମିଟିରେ ସାମ୍ବାଦିକ ସନ୍ତୋଷ ସିଂହଦେଓ, ଖଗେଶ୍ଵର ଧଙ୍ଗଡ଼ାମାଝି ପ୍ରମୁଖ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.