ଶିକ୍ଷୟତ୍ରୀମାନଙ୍କ ଭେଲେଣ୍ଟାଇନଡେ ପାଳନକୁ ନେଇ ଯୋର ଧରିଛି ଚର୍ଚ୍ଚା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆତଙ୍କବାଦୀଙ୍କ ପୁଲବାମା ଆକ୍ରମଣ ପରଠୁଁ ସାରାଦେଶ ଫେବୃୟାରୀ ୧୪ କୁ କଳା ଦିବସ ଭାବରେ ପାଳନ କରୁଥିବା ବେଳେ ରାଧାକୃଷ୍ଣ ହାଇସ୍କୁଲ ଶାନ୍ତପୁରର କେଇଜଣ ଶିକ୍ଷୟତ୍ରୀ ବିଦ୍ୟାଳୟ ଭିତରେ ଲୁଚାଛପାରେ ଉକ୍ତ ଦିନ “ପ୍ରେମ ଦିବସ” ପାଳନ କରି ବେଶ ଚର୍ଚ୍ଚାର ପରିଧିକୁ ଆସିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଭିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ଦୁଇଦିନ ହୋଇଗଲାଣି ଚର୍ଚ୍ଚା ଥମିବାର ନାଁ ନେଉନି । ଜାଣିବାକୁ ମିଳିଛି ଜଣେ ବରିଷ୍ଠ ଶିକ୍ଷୟତ୍ରୀଙ୍କ ପ୍ରସ୍ତାବ କ୍ରମେ କେଇଜଣ ଶିକ୍ଷୟତ୍ରୀ କିଛି ବ୍ୟକ୍ତିଙ୍କ ସହାୟତାରେ “ହେପି ଭେଲେଣ୍ଟାଇନ” ଡେ ନାମାଙ୍କିତ କେକ ମଗାଇ, ଶିକ୍ଷୟତ୍ରୀ କମନ ରୁମକୁ ରଙ୍ଗୀନ ଭାବରେ ସଜାଇ ଚକୋଲେଟ ଓ ବେଲୁନରେ ସୁ ସଜ୍ଜିତ କରି କେକ କାଟି ଚକୋଲେଟ, ଆଇସକ୍ରିମ ଖାଇ ମଜା ମଉଜ କରି ଆନନ୍ଦ ଉହ୍ଲାସର ସହ ଧୁମ ଧାମରେ “ଭେଲେଣ୍ଟାଇନ ଡେ” ପାଳନ କରିଥିବା ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ କେତେକ କାରଣକୁ ନେଇ ଦୀର୍ଘ ଦିନରୁ ମତାନ୍ତର ସୃଷ୍ଟି ହୋଇଥିବା ଏବଂ ଏଥିପାଇଁ ବିଦ୍ୟାଳୟରେ ପରିଚାଳନା ଗତ ସମସ୍ୟା ଉପୁଜୁଥିବା ନେଇ ଆଗରୁ ମଧ୍ୟ ପରିଚାଳନା ସମିତିର ବୈଠକ ଅନୁଷ୍ଠିତ ହୋଇ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏଭଳି ମନ ମୁତାବକ କାର୍ଯ୍ୟକଳାପ ଓ ବାଦବିବାଦ ତଥା ବିଦ୍ୟାଳୟ ପରିଚାଳନା ଓ ଛାତ୍ରଛାତ୍ରୀଙ୍କୁ ପାଠପଢାରେ ଅବହେଳା ପ୍ରଦର୍ଶନକୁ ନେଇ କତ୍ତୃପକ୍ଷ ତାଗିଦ କରିଥିଲେ। ଏହାସତ୍ୱେ ମଧ୍ୟ କେଇଜଣ ଶିକ୍ଷୟତ୍ରୀଙ୍କ ବିଦ୍ୟାଳୟ ଭଳି ଏକ ପବିତ୍ର ଶିକ୍ଷା ମନ୍ଦିର ପରିବେଶରେ ଲୁଚାଛପାରେ ଭେଲେଣ୍ଟାଇନ ଡେ ପାଳନକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ବିଦ୍ୟାଳୟ ଭିତରେ ଶିକ୍ଷୟତ୍ରୀଙ୍କ “ଭେଲେଣ୍ଟାଇନ ଡେ” ପାଳନ ଓ ସାମୁହିକ କେକ କାଟିବା ଫଟୋ ଭାଇରାଲ ହୋଇ ମୋବାଲରୁ ମୋବାଇଲକୁ ଘୁରି ବୁଲୁଛି। ଏ ବିଷୟରେ ପ୍ରଧାନ ଶିକ୍ଷକ ବିଶିକେସନ ସୁନାଙ୍କ ମତାମତ ନେବାରୁ ଏ ବିଷୟରେ ମୁଁ କିଛି ଜାଣିନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ବିଦ୍ୟାଳୟ ଭିତରେ ଶିକ୍ଷୟତ୍ରୀ ମାନଙ୍କ “ଭେଲେଣ୍ଟାଇନ ଡେ”(ପ୍ରେମ ଦିବସ) ପାଳନ ଛାତ୍ରଛାତ୍ରୀଙ୍କ ଉପରେ କିଭଳି ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚା ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.